ଜର୍ଜ ଫ୍ଲଇଡ୍‌ଙ୍କ ହତ୍ୟାକାରୀ ପୁଲିସକୁ ସାଢେ ୨୨ ବର୍ଷ ଜେଲ୍‌

ମିନିଆପଲିସ୍‌: ଜର୍ଜ ଫ୍ଲଇଡ୍‌ଙ୍କୁ ହତ୍ୟା କରିଥିବା ମିନିଆପଲିସ୍‌ର ପୂର୍ବତନ ପୁଲିସ ଅଫିସର ଡେରେକ୍ ସୋଭିନ୍‌ଙ୍କୁ ଆମେରିକାର ଏକ ଅଦାଲତ ସାଢ଼େ ୨୨ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଗତବର୍ଷ ମିନିଆପଲିସ୍ ରାସ୍ତାରେ ଫ୍ଲଇଡ୍‌ଙ୍କୁ ତଳେ ପକାଇ ସୋଭିନ୍ ତାଙ୍କ ବେକରେ ଆଣ୍ଠୁ ମାଡ଼ି ରଖିବାରୁ ସେ ଅଣନିଃଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲେ । କୃଷ୍ଣକାୟ ବ୍ୟକ୍ତି ଫ୍ଲଇଡ୍‌ଙ୍କ ଏତାଦୃଶ ମୃତ୍ୟୁ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।
ଦଣ୍ଡାଦେଶ ପୂର୍ବରୁ ୪୫ ବର୍ଷିୟ ସୋଭିନ୍ ଅତି ସଂକ୍ଷପରେ କିଛି କହିବା ସହ ଫ୍ଲଇଡ୍‌ଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ମିନିସୋତା ଆଇନ ଅନୁସାରେ, ସୋଭିନ୍ ଦଣ୍ଡାଦେଶର ଦୁଇ ତୃତୀୟାଂଶ କିଂବା ୧୫ ବର୍ଷ ଭୋଗ କରିବେ । ବାକି ସାଢ଼େ ୭ ବର୍ଷ ସେ ପାରୋଲ୍‌ରେ ଯାଇ ପାରିବେ ।
ଏ ଧରଣର ଅପରାଧ ପାଇଁ ମିନିସୋଟା ଦଣ୍ଡବିଧି ମାର୍ଗଦର୍ଶିକା ଅନୁସାରେ ୧୦ ବର୍ଷ ୮ ମାସ ରୁ ୧୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ହୋଇଥାଏ । କିନ୍ତୁ, ଫ୍ଲଇଡ୍‌ଙ୍କ ମୃତ୍ୟୁ ଯୋଗୁଁ ପୁଲିସର ପାଶବିକତା ବିପକ୍ଷରେ ଦେଶବ୍ୟାପୀ ବ୍ୟାପକ ପ୍ରତିବାଦ ହୋଇଥିଲା । ‘ବ୍ଲାକ୍ ଲାଇଭ୍‌ସ୍ ମ୍ୟାଟର୍ର’ ଲିଖିତ ପ୍ଲାକାର୍ଡ ଧରି ଲୋକେ ବର୍ଣ୍ଣବେଷମ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ବିଚାରପତି ପିଟର୍ କେଚିଲ୍ କହିଲେ, ଏହି ଦଣ୍ଡାଦେଶ ଆବେଗ କିଂବା ଜନମତଭିତ୍ତିକ ନୁହେଁ । ସମସ୍ତ ପରିବାର, ବିଶେଷକରି ଫ୍ଲଇଡ୍‌ଙ୍କ ପରିବାର ଭୋଗିଥିବା ଭୀଷଣ ଓ ମର୍ମଭେଦୀ ଆଘାତ ପ୍ରତି ସମବେଦନା ଜଣାଇ ଏଭଳି ରାୟ ଦିଆଯାଇଛି ।

Leave A Reply

Your email address will not be published.

14 − four =