ଗାଧୋଇବା ବେଳେ ନାଳରେ ବୁଡି ଯାଇ ଯୁବକଙ୍କ ମୃତ୍ୟୁ

ଯାଜପୁର : ବଢ଼ାବଢ଼ି କର ମୁଁ ଅଳ୍ପ ସମୟ ମଧ୍ୟରେ ଗାଧୋଇ ଫେରୁଛି । ଏଭଳି କେଇପଦ କଥା ନିଜ ମା’ଙ୍କୁ କହି ଗାଧୋଇବାକୁ ଯାଇଥିବା ଜଣେ ୨୧ ବର୍ଷିୟ ଯୁବକର ପାଣିରେ ବୁଡି ଅଭାବନୀୟ ମୃତ୍ୟୁ ଘଟିଛି । ମୃତକ ଯୁବକ ହେଉଛନ୍ତି ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ଥାଲକୁଡି ପଂଚାୟତ ଦକ୍ଷିଣବନ୍ଧ ଗ୍ରାମର ରାଜେନ୍ଦ୍ର ପଲାଇଙ୍କ ପୁଅ ଜ୍ୟୋତିପ୍ରକାଶ ପଲାଇ । ସୂଚନା ମୁତାବକ ରବିବାର ପ୍ରାୟ ଦିବା ୧୨ ଘଟିକା ସମୟରେ ଜ୍ୟୋତିପ୍ରକାଶ ନିଜ ମା’ଙ୍କୁ ଖାଇବା ପ୍ରସ୍ତୁତ ରଖିବାକୁ କହି ନିକଟସ୍ଥ ଜୁନ୍ଦୁପର ନାଳକୁ ଜଣେ ସାଙ୍ଗଙ୍କ ସହିତ ଗାଧୋଇବାକୁ ଯାଇଥିଲେ । ନାଳ ହୁଡାରେ ସଙ୍ଗ ଜଣକ ମୋବାଇଲରେ କାହା ସହିତ କଥା ହେଉଥିବା ସମୟରେ ଜ୍ୟୋତିପ୍ରକାଶ ନାଳ ପାଣି ଭିତରକୁ ପଶିଥିଲେ । ଗୋଡ ଖସିଯିବାରୁ ଜ୍ୟୋତିପ୍ରକାଶ ପାଣିରେ ବୁଡିଯାଉଥିବା ଦେଖି ନାଳ ହୁଡାରେ ଥିବା ମୋବାଇଲ୍‌ରେ କଥା ହେଉଥିବା ସାଙ୍ଗ ଜଣକ ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଗାଁ ଲୋକେ ଘଟଣାସ୍ଥଳରେ ପହଂଚି ଜ୍ୟୋତିପ୍ରକାଶଙ୍କୁ ପାଣିରୁ ଉଦ୍ଧାର କରିବା ସହ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ସେଠାରେ ପହଂଚିବା ପୂର୍ବରୁ ରାସ୍ତାରେ ଜ୍ୟୋତୀପ୍ରକାଶଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଖବର ଜଣାପଡିବା ପରେ ଦକ୍ଷିଣବନ୍ଧ ଗ୍ରାମ ସହିତ ଥାଲକୁଡି ଓ ମଙ୍ଗଳପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖାଇବା ପ୍ରସ୍ତୁତ କରି ରଖିବାକୁ କହି ଗାଧୋଇ ଯାଇଥିବା ପୁଅ ଜ୍ୟୋତିପ୍ରକାଶଙ୍କ ମୃତ୍ୟୁରେ ବାପା ଓ ମା ବାରମ୍ବାର ଚେତା ଶୂନ୍ୟ ହେଇପଡୁଥିବା ଦେଖି ସାହିପଡିଶା ଧୈର୍ଯ୍ୟ ଧରିପାରୁନଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.

sixteen − three =