ନୂଆଦିଲ୍ଲୀ: ପ୍ୟାରିସ୍ରେ ଅନୁଷ୍ଠିତ ‘ୱାର୍ଲଡ୍ କପ୍ ଷ୍ଟେଜ୍ ଥ୍ରି’ରେ ରବିବାର ଦିନ ଭାରତୀୟ ତୀରନ୍ଦାଜ୍ ଦୀପିକା କୁମାରୀ ପୁନର୍ବାର ବିଶ୍ୱର ୧ ନମ୍ବର ମାନ୍ୟତା ବଜାୟ ରଖିଛନ୍ତି ।
ପ୍ରଥମ ଥର ଲାଗି ୨୦୧୨ରେ ଶୀର୍ଷ ସ୍ଥାନ ହାସଲ କରିଥିବା ରାଞ୍ଚିବାସିନୀ ୨୭ ବର୍ଷୀୟ ଦୀପିକା ତିନୋଟି ତୀରଚାଳନା ପ୍ରତିଯୋଗିତା ଯଥା:- ‘ୱିମିନ୍ସ୍ ଇଣ୍ଡିଭିଜୁଆଲ୍’, ‘ଉଇମିନ୍ସ୍ ଟିମ୍’ ଏବଂ ‘ଉଇମିନ୍ସ୍ ମିକ୍ସଡ୍’ ଟିମ୍ରେ ରବିବାର ଦିନ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ପ୍ରଥମେ ଦୀପିକା ଅଙ୍କିତା ଭକତ ଏବଂ କୋମଲିକା ବାରିଙ୍କ ସହ ମିଶି ଅନାୟାସରେ ମେକ୍ସିକୋର ମହିଳା ତୀରନ୍ଦାଜ୍ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହାପରେ, ସେ ସ୍ୱାମୀ ଅତନୁ ଦାସ ସହ ମିଶି ନେଦରଲାଣ୍ଡ୍ସ୍ର ଜେଫ୍ ଭ୍ୟାନ୍ଡେନ୍ ବର୍ଗ ଏବଂ ଗାବ୍ରିଲିଆ ସ୍ଲୋଏର୍ସଙ୍କୁ ୫-୩ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ତା’ପରେ ୧୭ ନମ୍ବରରେ ସ୍ଥାନୀତ ରୁଷ୍ର ଏଲିନା ଓସିପୋଭାଙ୍କୁ ୬୦୦ରେ ପରାସ୍ତ କରି ମହିଳା ତୀରଚାଳନା ବିଭାଗରେ ସମୁଦାୟ ତିନୋଟି ସ୍ୱର୍ଣ୍ଣପଦକ ହାସଲ କରିବାରେ ସମର୍ଥ ହୋଇଥିଲେ ।
ଏହାକୁ ମିଶାଇ ବିଶ୍ୱ କପ୍ରେ ଦୀପିକା ମୋଟ୍ ଉପରେ ୯ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୭ଟି କାଂସ୍ୟ ପଦକ ହାସଲ କରିସାରିଲେଣି ।