କୋଟିଏ ନେଲେଣି ପ୍ରଥମ ଡୋଜ୍ ଟିକା

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ଲାଗି ସାର୍ବଜନୀନ ଟିକାକରଣ ଅଭିଯାନରେ ଓଡିଶା ଦେଶରେ ରେକର୍ଡ ସୃଷ୍ଟି କରିଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧କୋଟି ୨୨ଲକ୍ଷ ୧୦ହଜାରରୁ ଅଧିକ ଲୋକଙ୍କୁୂ ଟିକାଦାନ କରି ରାଜ୍ୟ ଏହି ରେକର୍ଡ ସୃଷ୍ଟି କରିଛି । ଦେଶରେ ପ୍ରଥମ ରାଜ୍ୟଭାବେ ଓଡିଶା ବଡ ବଡ ରାଜ୍ୟମାନଙ୍କୁ ପଛରେ ପକାଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତମାନସୁଦ୍ଧା ରାଜ୍ୟରେ ୧କୋଟିରୁ ଉର୍ଦ୍ଧ୍ୱ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨୨ଲକ୍ଷ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଦୁଇଟି ଜାକ୍ ଡୋଜ୍ ଟିକା ନେଇଛନ୍ତି । ଅନ୍ୟ ରାଜ୍ୟ ଗୁଡିକ ତୁଳନାରେ ରାଜ୍ୟରେ ଟିକା ନଷ୍ଟ ମଧ୍ୟ ଅତିକମ୍ ରହିଛି । ଟିକାକରଣ ଅଭିଯାନକୁ ସଫଳ କରିଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଟିକା ଅଭାବ ଯୋଗୁଁ ବହୁ ଜିଲ୍ଲାରେ ଟିକା କରଣ ବାଧା ପ୍ରାପ୍ତ ହୋଇଛି । ଆଜି ମଧ୍ୟ ରାଜ୍ୟର ବହୁ ଜିଲ୍ଲା ଟିକା ଅଭାବ ଯୋଗୁଁ ଟିକାକରଣ ବନ୍ଦ ରହିଥିବା ଜଣାଯାଇଛି । ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଟିକା ଉପଲବ୍ଧ ହୋଇଥିଲେ ଆହୁରିଅଧିକ ଲୋକଙ୍କୁ ଟିକାଦାନ ସମ୍ଭବ ହୋଇପାରିଥାନ୍ତା ।
ଅନ୍ୟପକ୍ଷରେ ସଂପୂର୍ଣ୍ଣ ଟିକାକରଣରେ ଭୁବନେଶ୍ୱର ପ୍ରଥମ ସହର ହୋଇଛି । ସ୍ୱାସ୍ଥ୍ୟକର୍ମୀ, କୋଭିଡ ଯୋଦ୍ଧା ଓ ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ମିଶାଇ ୯ ଲକ୍ଷ ୭ ହଜାର ୧୯୪ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୧୪ ଲକ୍ଷ ୫୫ ହଜାର ୪୫୫ ଜଣଙ୍କୁ ଟିକା ଦିଆଯାଇ ସାରିଛି । ସେଥିମଧ୍ୟରୁ ୯ ଲକ୍ଷ ୪୫ ହଜାର ୭୮ ଜଣ ପ୍ରଥମ ଡୋଜ୍ ଓ ୫ ଲକ୍ଷ ୧୦ ହଜାର ୩୭୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିବା କହିଛନ୍ତି ଡେପୁଟି କମିଶନର ।
ଜୁଲାଇ ଶେଷ ସୁଦ୍ଧା ସଂପୂର୍ଣ୍ଣ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି ବିଏମସି । ଏହି କ୍ରମରେ ଜୁଲାଇ ୫ ତାରିଖରୁ ଆରମ୍ଭ ହେଉଛି ଅନ ସ୍ପଟ ଟିକାକରଣ । ଅର୍ଥାତ ପ୍ରଥମ ଡୋଜ୍ ଟିକା ନେଇନଥିବା ବ୍ୟକ୍ତି କୋ-ୱିନ ପୋର୍ଟାଲରେ ସ୍ଲଟ ବୁକିଂ ନକରି ମଧ୍ୟ ଟିକାକେନ୍ଦ୍ରରେ ସିଧାସଳଖ ଯାଇ ଟିକା ନେଇପାରିବେ । ଜୁଲାଇ ୫ରୁ ୧୦ ଯାଏଁ ଅଭିଯାନ ଚାଲିବ । ପରିଚୟପତ୍ର ଦେଖାଇ ଟିକା ନେଇପାରିବେ ହିତାଧିକାରୀ ।

Leave A Reply

Your email address will not be published.

20 + 4 =