ଶଙ୍କରାଚାର୍ଯ୍ୟଙ୍କୁ ଆମନ୍ତ୍ରଣ
ପରମ୍ପରା ଅନୁସାରେ ରଥଯାତ୍ରା ଲାଗି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗୋବର୍ଦ୍ଧନ ପୀଠରେ ପହଞ୍ଚି ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି । ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେ ଜଗଦଗୁରୁଙ୍କୁ ନିମନ୍ତ୍ରଣ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣ ରକ୍ଷା କରି ନିଜର ୬ ଜଣ ଅୁଗାମୀଙ୍କ ସହ ଯିବାକୁ ସମ୍ମତି ପ୍ରଦାନ କରିଛନ୍ତି ଶଙ୍କରାଚାର୍ଯ୍ୟ । ଏହା ସହିତ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବାକୁ ସେ ପ୍ରଶାସନକୁ କହିଛନ୍ତି । ସେହିପରି କରୋନା କଟକଣା ଥିବାରୁ ଶ୍ରଦ୍ଧାଳୁମାନେ ଘରେ ରହି ରଥଯାତ୍ରା ଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନବ ଦିନ ବ୍ୟାପୀ ଘୋଷ ଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ କରିବେ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା ବେଳେ ଏବେ ମହାପ୍ରଭୁଙ୍କ ଅପେକ୍ଷାରେ ୩ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ସିଂହଦ୍ୱାର ସମ୍ମୁଖରେ ପ୍ରସ୍ତୁତ ହୋଇ ରହିଛନ୍ତି । ଏବେ ସାଆଁନ୍ତଙ୍କ ଅପେକ୍ଷାରେ ରଥ ଓ ପଥ । ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ସେବାୟତମାନେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ଆଣିଥିଲେ । ପରେ ପରେ ଦର୍ପଦଳନ ଓ ତାଳଧ୍ୱଜ୍ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ଆଣିଥିଲେ । ଆସନ୍ତା କାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ଶୁଭଦ୍ରା ଗୋଟି ପହଣ୍ଡିରେ ରଥରେ ବିଜେ ହେବେ । ମିଳିଥିବା ସୂଚନା ଅନୁଯାୟୀ ସକାଳ ୮ଟାରୁ ଶ୍ରୀ ଜିଉମାନଙ୍କ ପହଣ୍ଡି ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରା ପହଁରା କରିବେ । ସେହିପରି ଅପରାହ୍ନ ୨ଟାରୁ ରଥ ଟଣା ଆରମ୍ଭ କାର୍ଯ୍ୟକ୍ରମ ରହିଛି । କରୋନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ର ଭକ୍ତ ଶୂନ୍ୟ ହୋଇପଡିଥିବା ବେଳେ କେବଳ ସେବାୟତ ମାନେ ରଥ ଟାଣିବେ । ମହାମାରୀ କରୋନା ଯୋଗୁଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏଥିପାଇଁ ଆଜି ରାତି ୧୧ଟାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି । ଆଜି ରାତି ୮ଟାରୁ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏଠାରେ କର୍ଫ୍ୟୁ ବଳବତ୍ତର ରହିବ । କରୋନା କଟକଣା କଡାକଡି ଭାବେ ପାଳନ କରିବା ପାଇଁ ପୁରୀ ସହରରେ ୭୦ପ୍ଲାଟୁନ୍ ପୋଲିସ୍ ବାହୀନିକୁ ମୃତୟନ କରାଯାଇଛି । ସମଗ୍ର ସହର ପୋଲିସ୍ ଛାଉଁଣି ହୋଇଯାଇଛି । ବଡ ଦାଣ୍ଡକୁ ସଯୋଁଗ କରୁଥିବା ସମସ୍ତ ସାହି ଗଳି ପ୍ରବେଶ ପଥକୁ ବ୍ୟାରିକେଡ୍ ଦ୍ୱାରା ସିଲ୍ କରିଦିଆଯାଇଛି । କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ବଡଦାଣ୍ଡକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ । ପୁରୀ ସହରକୁ ଯିବା ପାଇଁ ସମସ୍ତ ୮ଟି ପ୍ରବେଶ ପଥକୁ ସିଲ୍ କରିଦିଆଯାଇଥିଲା ବେଳେ ବିଭିନ୍ନ ସ୍ଥାନରେ କ୍ଲୋଜ୍ ସର୍କିଟ୍ କ୍ୟାମେରା ଲଗାଯାଇଛି । ଜଳ, ସ୍ଥଳ ଓ ଆକାଶ ପଥରେ ମଧ୍ୟ କଡା ସୂରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଡ଼ଦାଣ୍ଡରେ ଦୁଇ ପାର୍ଶ୍ୱରେ ଥିବା ସମସ୍ତ ହୋଟେଲ୍, ଲଜ୍ ଓ ଧର୍ମଶାଳାକୁ ଖାଲି କରାଯାଇଛି । ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା ଲୋକେ ଛାତ ଉପରୁ ରଥଯାତ୍ରା ଦେଖିପାରିବେ ନାହିଁ । କର୍ଫ୍ୟୁ ସମୟରେ ଲୋକଙ୍କ ସୁବିଧା ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ଜରୁରୀ ସ୍ଥିତିରେ ଲୋକେ ୧୮୦୦୩୪୫୭୪୯୫ ନମ୍ବରରେ ଫୋନ୍ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।