ପ୍ରତ୍ୟେକ ରାଷ୍ଟ୍ର ଶକ୍ତିଶାଳି ହେବା ପଛର ଶକ୍ତି ହେଉଛି ସୁସ୍ଥ ଓ ଶିକ୍ଷିତ ଜନସଂଖ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ କହିଛନ୍ତି ଯେ ପ୍ରତ୍ୟେକ ରାଷ୍ଟ୍ର ପାଇଁ ସୁସ୍ଥ ଏବଂ ଶିକ୍ଷିତ ଜନସଂଖ୍ୟା ହେଉଛି ଉତପ୍ରେରକ ଶକ୍ତି । ଏକ ଉତମ ଭବିଷ୍ୟତ ନିମନ୍ତେ ଶିକ୍ଷା, ତାଲିମ ଏବଂ ସ୍ୱାସ୍ଥ୍ୟସେବା ଉପରେ ବିନିଯୋଗ ସହ ଆମର ମାନବସମ୍ବଳକୁ ପରିପୁଷ୍ଟ କରିବା ପାଇଁ ପ୍ରତିଜ୍ଞା ଦୋହରାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ବିରୁଦ୍ଧରେ ଓଡ଼ିଶାର ସଂଗ୍ରାମରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ସଚେତନତା ପ୍ରସାର ଏବଂ ସର୍ଭେ କାର୍ଯ୍ୟରେ ସେମାନଙ୍କର ନିରବଚ୍ଛିନ୍ନ କଠିନ ପରିଶ୍ରମ ଯୋଗୁଁ ପ୍ରାଣଘାତକ ଭୂତାଣୁ କବଳରୁ ବହୁଲୋକ ସୁରକ୍ଷିତ ରହିପାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ କୋରାପୁଟ ଜିଲ୍ଲ।ରେ କମ୍ୟୁନିଟି ନର୍ସରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପରୀକ୍ଷାମୂଳକ ଭାବେ ଜିଲ୍ଲାରେ ୧୬ଟି ବଗିଚା ନିର୍ମାଣ କରାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ଏହାକୁ ଆହୁରି ବ୍ୟାପକ କରିବାକୁ ଯୋଜନା ରହିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶେଷ ଦେବଦାସୀ ପରଶମଣି ଦେବୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି ଜଗନ୍ନାଥ ସଂସ୍କୃତିର ଅନନ୍ୟ ବାର୍ତା ବହନ କରୁଥିବା ମହାନ ପୁଣ୍ୟାତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସରକାରୀ ଜାଗାରେ ହଜାର ହଜାର ବୃକ୍ଷରୋପଣ କରି ପରିବେଶ ଓ ବନ୍ୟପ୍ରାଣୀ ସଂରକ୍ଷଣକୁ ମିଶନ ଭାବେ ଗ୍ରହଣ କରିଥିବା ନୟାଗଡ ଜିଲ୍ଳା କଂଟିଲୋର ଅନ୍ତର୍ଯ୍ୟାମୀ ସାହୁଙ୍କୁ ପ୍ରଶଂସା କରିଛନ୍ତି । ସମାଜର ପ୍ରତ୍ୟେକ ଲୋକଙ୍କୁ ଆଗେଇ ଆସିବା ପାଇଁ ଏବଂ ଓଡ଼ିଶାକୁ ସବୁଜସୁନ୍ଦର କରିବା ନିମନ୍ତେ ଏହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

thirteen − seven =