ଆଡପ ମଣ୍ଡପରେ ତିନି ଠାକୁର

ପୁରୀ: ନବଦିନ ବ୍ୟାପୀ ଘୋଷଯାତ୍ରାରେ ଶରଧା ବାଲିରେ ପହଞ୍ଚିଥିବା ମହାପ୍ରଭୁଶ୍ରୀ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁୁଭଦ୍ରା ଆଜି ଜନ୍ମବେଦୀର ତଥା ଶ୍ରୀ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଆଜି ରଥ ଉପରେ ଶ୍ରୀଜିଉମାନଙ୍କର ପାରମ୍ପରିକ ପୂଜାର୍ଚନା ଓ ନୀତିକାନ୍ତି ପରେ ସେବାୟତ ମାନେ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ଆଡପ ମଣ୍ଡପକୁ ବିଜେ କରାଇଥିଲେ । ପ୍ରଥମେ ବଡ ଠାକୁର ବଳଭଦ୍ର ଗୋଟି ପହଣ୍ଡିରେ ଆଡପ ମଣ୍ଡପରେ ବିଜେ କରିଥିଲା ବେଳେ ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଆସନ୍ତା କାଲି ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଭକ୍ତମାନେ ଦର୍ଶନ କରିବେ । ତେବେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ଶ୍ରୀକ୍ଷେତ୍ର ଏବେ ଭକ୍ତ ଶୂନ୍ୟ ହୋଇପଡିଛି । ଫଳସ୍ୱରୂପ ଆଡପ ମଣ୍ଡପରେ କେହି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ଅନ୍ୟପକ୍ଷରେ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପଟେ ଆଜି ଜିଲ୍ଲା ପ୍ରଶାସନ କର୍ଫ୍ୟୁ କଟକଣା ଜାରି କରିଛି । ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ ।
ଆହୁରିମଧ୍ୟ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ଆସନ୍ତା ୧୩ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୂର୍ବରୁ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି । ମାତ୍ର କୁମ୍ଭାରପଡ଼ା ସାହିର ମିଶ୍ର ଲେନ ଦେଇ ବଡ଼ଶଙ୍ଖରୁ ବାନାମ୍ବର ଛକ, ପୁରୁଣା ନବକଳେବର ରୋଡ ଦେଇ ବାନାମ୍ବର ଛକ ଠାରୁ ମାଟିଆପଡା ଛକ, ମାଟିଆପଡା ଛକ ଠାରୁ ଆଶୁତୋଷ ମଠ ଛକ, ଆଶୁତୋଷ ମଠ ଛକ ଠାରୁ ନୀଳକଣ୍ଠ ମନ୍ଦିର ଛକ, ନୀଳକଣ୍ଠ ମନ୍ଦିର ଛକ ଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଏହି କଟକଣା ଆସନ୍ତା ୧୪ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ ।ଶ୍ରୀ ଜୀଉମାନଙ୍କ ଆଡ଼ପ ମଣ୍ତପ ବିଜେ ପହଣ୍ତି ନିମନ୍ତେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳରେ ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ , କାର୍ଯ୍ୟାଳୟ ବନ୍ଦ ରହିବ । ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରିଥିବା ଗାଡ଼ିକୁ ଛାଡିଦେଲେ ଅନ୍ୟ ଗାଡ଼ିଗୁଡ଼ିକ ଯିବା ଆସିବା ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ । ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

15 − twelve =