ଆଗକୁ ଆସୁଛି କଠିନ ସମୟ: ମନମୋହନ ସିଂ

ନୂଆଦିଲ୍ଲୀ: ଆଗକୁ ଦେଶ ପାଇଁ ଅଧିକ ଆହ୍ୱାନ ରହିଛି । ସରକାରଙ୍କୁ ଏଥିପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଏବେ ଖୁସି କିମ୍ବା ଆନନ୍ଦ ହେବାର ସମୟ ନୁହେଁ, ବରଂ ଆଗାମୀ ଦିନରେ ଆସିବାକୁ ଥିବା ଆହ୍ୱାନକୁ କିଭଳି ସାମ୍ନା କରାଯାଇପାରିବ ସେ ନେଇ ଆତ୍ମଚିନ୍ତନ କରିବା ଆବଶ୍ୟକ । ୧୯୯୧ ଅପେକ୍ଷା ଆହ୍ୱାନ ଏବେ ଅଧିକ ରହିଛ । ତେଣୁ ଗୋଟିଏ ଦେଶ ଭାବରେ ସରକାରଙ୍କ ଦାୟିତ୍ୱ ରହିଛି ପ୍ରତ୍ୟେକ ଭାରତୀୟଙ୍କୁ କିଭଳି ସୁସ୍ଥ ରହିପାରିବେ ଏବଂ ସମ୍ମାନଜନକ ଜୀବନ ବଞ୍ଚି ପାରିବେ । ଏବେ ଏହାର ରୋଡ୍ ମ୍ୟାପ ତିଆରି କରିବାର ସମୟ ଆସିଯାଇଛି ।
୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ମନମୋହନ ସିଂ ଥିଲେ । ଏହା ପୂର୍ବରୁ ୧୯୯୧ରେ ପିଭି ନରସିମହା ରାଓଙ୍କ ସରକାରରେ ମନମୋହନ ଅର୍ଥମନ୍ତ୍ରୀ ଥିଲେ । ୨୪ ଜୁଲାଇ ୧୯୯୧ରେ ସେ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । ଏହି ବଜେଟ୍ ଦେଶରେ ଅର୍ଥନୀତିକ ଉଦାରୀକରଣର ମୂଳଦୁଆ ବୋଲି ବିବେଚନା କରାଯାଏ । ଏହି ଐତିହାସିକ ବଜେଟର ୩୦ ବର୍ଷ ପୂରଣ ଅବସରରେ ମନମୋହନ ସିଂ ଶୁକ୍ରବାର ଦେଶର ଅର୍ଥନୀତି ପ୍ରସଙ୍ଗରେ ମତ ରଖିଛନ୍ତି ।
ମନମୋହନ ସିଂ କହିଛନ୍ତି ଯେ କରୋନା ପାଇଁ ଅନେକ କ୍ଷତି ଘଟିଛି । ଲୋକେ ରୋଜଗାର ହରାଇଛନ୍ତି, ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି । ତେଣୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବେକାରୀ ଦେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି ।
୩୦ ବର୍ଷ ପୂର୍ବେ କଂଗ୍ରେସ ଭାରତର ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆରମ୍ଭ କରିଥିଲା । ଦେଶର ଅର୍ଥନୀତିକ ନୀତି ପାଇଁ ଦଳ ଏକ ନୂଆ ରାସ୍ତା ପ୍ରସ୍ତୁତ କରିଥିଲା । ଗତ ତିନି ଦଶନ୍ଧି ମଧ୍ୟରେ ବିଭିନ୍ନ ସରକାର ଆସିଛନ୍ତି । ଏହାକୁ ଅନୁସରଣ ମଧ୍ୟ କରିଛନ୍ତି । ତେଣୁ ଆଜି ଆମେ ବିଶ୍ୱର ବୃହତ୍ତମ ଅର୍ଥନୀତି ମଧ୍ୟରେ ଗଣିତ ହୋଇପାରିଛୁ ବୋଲି ସେ କହିଛନ୍ତି । ତିନି ଦଶନ୍ଧି ମଧ୍ୟରେ ପ୍ରାୟ ୩୦ କୋଟି ଭାରତୀୟ ନାଗରିକ ଦାରିଦ୍ର‌୍ୟରୁ ବାହାରକୁ ଆସିଥିଲେ ଏବଂ ଏହି ସମୟ ମଧ୍ୟରେ କୋଟି କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି ।
୧୯୯୧ରେ ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନ ବେଳେ ଡକ୍ଟର ଭିକ୍ଟର ହ୍ୟୁଗୋ (ଫରାସୀ କବି)ଙ୍କ ଏକ ବିବୃତ୍ତିକୁ ମନେ ପକାଇ ଏବେ କହିଛନ୍ତି, ‘ ଯେଉଁ ଚିନ୍ତାଧାରାର ସମୟ ଆସିଯାଇଛି ତାହାକୁ ପୃଥିବୀର କେଣସି ଶକ୍ତି ଅଟକାଇ ପାରିବ ନାହିଁ । ୩୦ ବର୍ଷ ପରେ, ଗୋଟିଏ ରାଷ୍ଟ୍ର ଭାବରେ, ଆମକୁ ରୋବର୍ଟ ଫ୍ରଷ୍ଟ (ଆମେରିକାର କବି) ଙ୍କ ସେହି କବିତାକୁ ମନେ ରଖିବାକୁ ପଡିବ ଯେ ଆମେ ଲକ୍ଷ୍ୟ ପୂରଣ କରିବା ପରେ ମାଇଲ୍ ଯାତ୍ରା କରିବାକୁ ହେବ । ଏହାପରେ ଆମେ ଆଶ୍ୱସ୍ତ ହେବା ଉଚିତ ବୋଲି ମନମୋହନ କହିଛନ୍ତି ।

Leave A Reply

Your email address will not be published.

eighteen + 5 =