ଭୁବନେଶ୍ୱର: ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ତରିୟ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବାପାଇଁ ଆଜି ଦେଶର ପ୍ରଥମ ସହରଭାବେ ପୁରୀରେ ଡ୍ରିଙ୍କ ଫ୍ରର୍ମ ଟ୍ୟାପ’ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଡ୍ରିଙ୍କ ଫ୍ରର୍ମ ଟ୍ୟାପ୍୍’ପ୍ରକଳ୍ପକୁ ଉଦ୍ଘାଟନ କରି କହିଛନ୍ତି ଯେ, ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର । ଏହାଦ୍ୱାରା ପୁରୀର ଜନସାଧାରଣ ଟ୍ୟାପରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇବେ । ପିଇବା ପାଣିକୁ ଷ୍ଟୋର କରି ରଖିବା ଦରକାର ନାହିଁ, କିମ୍ବା ଫିଲଟର କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ୱର କେବଳ ବଡ଼ ବଡ଼ ସହରମାନଙ୍କରେ ଏଭଳି ସୁବିଧା ମିଳେ । ଏହାଦ୍ୱାରା ପୁରୀର ଅଢେଇ ଲକ୍ଷ ଜନସାଧାରଣଙ୍କ ସହିତ ବର୍ଷକୁ ଆସୁଥିବା ୨ କୋଟି ପର୍ଯ୍ୟଟକ ଏହା ଦ୍ୱାରା ଉପକୃତ ହେବେ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡ଼ିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ ଟ୍ୟାପରେ ଭଲ ପିଇବା ପାଣି ମିଳିଲା । ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ବା ସୁଜଳ ଯୋଜନାରେ ଆପଣମାନେ ସିଧା ଟ୍ୟାପରୁ ପାଣି ଆଣି ପିଇପାରିବେ । ଷ୍ଟୋରେଜ ବା ଫିଲ୍ଟର କରିବା କିଛି ବି ଦରକାର ନାହିଁ । ଦିନରାତି ୨୪ ଘଣ୍ଟା ଏହି ସେବା ମିଳିବ । ସାରା ଦେଶରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ । ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଆମର ମେଟ୍ରୋ ସହର ମାନଙ୍କରେ ବି ଏ ସୁବିଧା ନାହିଁ । ଏ ଯୋଜନା ପାଇଁ ପୁରୀ ଆଜି ଲଣ୍ଡନ, ନିୟୁୟର୍କ, ସିଙ୍ଗାପୁର ଆଦି ବିଶ୍ୱର ବଡ଼ ବଡ଼ ସହରରେ ସାମିଲ ହୋଇପାରିଛି । ଏହା ସମସ୍ତଙ୍କ ପାଇଁ ଖୁସିର କଥା ବୋଲି ସେ କହିଥିଲେ ।
ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗକୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୯ ମାସ ମଧ୍ୟରେ ପୁରୀର ୨.୫ ଲକ୍ଷ ଲୋକଙ୍କ ପାଇଁ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ସୁବିଧା ମିଳିବା ସହିତ ପୁରୀକୁ ପ୍ରତି ବର୍ଷ ଆସୁଥିବା ୨ କୋଟି ପର୍ଯ୍ୟଟକ ମଧ୍ୟ ଏହି ସୁବିଧା ପାଇପାରିବେ । ସେମାନଙ୍କୁ ଆଉ ପାଣି ବୋତଲ ଧରି ବୁଲିବାକୁ ପଡ଼ିବ ନାହିଁ । ଏହି ପ୍ରକଳ୍ପରେ ବଡ଼ଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ ପାଣି ଫାଉଣ୍ଟେନ କରାଯାଇଛି । ଏହାଦ୍ୱାରା ୪୦୦ ମେଟ୍ରିକ ଟନ୍ ପ୍ଲାଷ୍ଟିକ ଆବର୍ଜନାରୁ ମଧ୍ୟ ସହର ରକ୍ଷା ପାଇପାରିବ । ୫ଟି ପରିବର୍ତ୍ତନଶୀଳ ପଦକ୍ଷେପର ଏହା ହେଉଛି ଶ୍ରେଷ୍ଠ ମଡ଼େଲ । ଭଲ ପିଇବା ପାଣିର ସ୍ୱାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଗଭୀର ସଂପର୍କ ରହିଛି । ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି ଓ ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ସାରା ଓଡ଼ିଶାର ୧୬ଟି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସହରମାନଙ୍କରେ ଉଚ୍ଚମାନର ସୁବିଧା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ପୁରୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଆଜି ସାର୍ଥକ ହୋଇଛି ।
ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ସଚିବ ଦୁର୍ଗାଶଂକର ମିଶ୍ର କହିଲେ ଯେ, ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ମହାପ୍ରଭୁ ଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବପ୍ରଥମ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା । ଏହା ଭାରତର ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ. ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ଉମା ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।