ଟ୍ରାକ୍ଟର ଚଳାଇ ପାର୍ଲାମେଣ୍ଟ୍‌କୁ ଗଲେ ରାହୁଲ୍‌

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନି କୃଷି ଆଇନ ବିରୋଧରେ ପ୍ରତିବାଦ ତଥା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଆଜି ଗୋଟାଏ ଟ୍ରାକ୍ଟର ଚଳାଇ ପାର୍ଲାମେଣ୍ଟ୍‌କୁ ଯାଇଥିଲେ । ଏହି ବିବାଦୀୟ କୃଷି ଆଇନ ତୁରନ୍ତ ପ୍ରତ୍ୟାହାର କରି ନିଆଯାଉ ବୋଲି ଶ୍ରୀ ଗାନ୍ଧୀ ଦାବି କରିଛନ୍ତିି ।
ସେ କହିଛନ୍ତି ଯେ, କୃଷକମାନଙ୍କର ବାର୍ତ୍ତା ନେଇ ମୁଁ ସଂସଦକୁ ଆସିଛି । ସରକାର କୃଷକମାନଙ୍କ ପାଟି ବନ୍ଦ କରୁଛନ୍ତି । ସଂସଦରେ ଏ ସଂକ୍ରାନ୍ତରେ କୌଣସି ଆଲୋଚନା କରାଇ ଦେଉନାହାନ୍ତି । ସେମାନେ ଏହି ‘କଳା ଆଇନ’କୁ ପ୍ରତ୍ୟାହାର କରିବା ଉଚିତ୍ । ଏହି ଆଇନ ସବୁ କେବଳ ଦୁଇ ତିନିଜଣ ବଡ଼ ବ୍ୟବସାୟୀଙ୍କୁ ଉପକୃତ କରିବ ବୋଲି ସମଗ୍ର ଦେଶବାସୀ ଜାଣନ୍ତି ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି । ସେ ଆହୁରି ମଧ୍ୟ ସରକାର କହୁଛନ୍ତି କୃଷି ଆଇନ ପାଇଁ ଆମ କୃଷକମାନେ ଆନନ୍ଦିତ । ପ୍ରତିବାଦ ଚଳାଇଥିବା ବ୍ୟକ୍ତିମାନେ ଆତଙ୍କବାଦୀ । କିନ୍ତୁ, ବାସ୍ତବ କଥା ହେଲା, କୃଷକମାନଙ୍କ ଅଧିକାରକୁ ଛିନ୍ନ କରି ନିଆଯାଉଛି । ମୁଁ ଆପଣମାନଙ୍କୁ ସମର୍ଥନ କରୁଛି ବୋଲି ସମଗ୍ର ଦେଶର କୃଷକମାନଙ୍କୁ ଅବଗତ କରାଉଛି । ଜୟ ଯବାନ ଜୟ କିଷାନ । ସୂଚନାଯୋଗ୍ୟ, ଦୀର୍ଘ ୮ ମାସ ହେବ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଅଗଣିତ କୃଷକ ଦିଲ୍ଲୀ ସୀମାନ୍ତରେ ବସି ନୂଆ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଛନ୍ତି ।

Leave A Reply

Your email address will not be published.

nineteen − thirteen =