କୋଭିଡ ନିୟମାବଳିରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଚଳିତବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ ।
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କିପରି ସୂଚାରୁ ରୂପେ ପାଳନ ହେବ ସେନେଇ ସୋମବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବେଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷ୍ପତ୍ତି ହୋଇଛି ଯେ, କୋଭିଡ୍ ମାର୍ଗଦର୍ଶିକାର ଠିକ୍ ଅନୁପାଳନ କରାଯାଇ ସ୍ୱଳ୍ପ ସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧା, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜନ ହେବ । ଗୃହ ବିଭାଗ ଦ୍ୱାରା ଚିହ୍ନଟ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ରାମଧୁନ୍ ପରିବେଷଣ, ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଓ କୋଭିଡ ଯୋଦ୍ଧାଙ୍କ ଉପବେଶନ ବ୍ୟବସ୍ଥା ନେଇ ବେଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଏଥିରେ ନିଷ୍ପତ୍ତି ହୋଇଛି ଯେ, ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ ହେବ । ବିଏମ୍‌ସି ପକ୍ଷରୁ ଉତ୍ସବ ସ୍ଥଳରେ ବିଶୋଧନ କରାଯିବ ଏବଂ ପିଇବା ପାଣି ଯୋଗାଯିବ । ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣକୁ ଡିସିପି, ଭୁବନେଶ୍ୱର ପରିଚାଳନା କରିବେ । ପୂର୍ବ ବର୍ଷ ପରି ଏଥର ବି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ହେବ । ସେହିପରି ଆର୍ଡିସି ଜୋନ୍‌, ଜିଲ୍ଲା ଏବଂ ଉପଖଣ୍ଡସ୍ତରରେ କୋଭିଡ୍ ନିୟମାବଳି ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ ।
ବେଠକରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବେଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍ ମହାନ୍ତି, ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.

12 − 5 =