ପାଞ୍ଚ ଦିନ ଯାଏ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ କ୍ରମସ ଘନିଭୁତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତୀ, ଆଭ୍ୟନ୍ତରିଣ ଅଂଚଳ ସମେତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଅଂଚଳିକ ପାଣି ପାଗ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି । ଆସନ୍ତକାଲି ୨୮ ତାରିଖ ଦିନ ୧୨ଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ସୁନ୍ଦରଗଡ, ଅନୁଗୁଳ, ପୁରୀ, ବରଗଡ,ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ୨୯ ତାରିଖ ଦିନ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏଥିସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ଝାରସୁଗୁଡ଼ା, ସୋନପୁର, ବରଗଡ଼ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
୩୦ ତାରିଖ ଦିନ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅନୁଗୁଳ, ଦେବଗଡ଼, କେଉଁଝର, ସୋନପୁର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ।
ସେହିପରି ୩୧ ତାରିଖ ଦିନ ନବରଙ୍ଗପୁର, ନୂଆପଡା, ବାଲେଶ୍ୱର, ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଆଉ ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ୫ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ବେଳେ ଏହି ସମୟରେ ସମୁଦ୍ରରେ ୪୦ରୁ ୫୦ କି.ମି ବେଗରେ ପବନ ବୋହିବ । ତେଣୁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।
ସୂଚନାଯୋଗ୍ୟ, ଜୁଲାଇ ଅଧା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ କମ୍ ଥିଲା । ଏବେ ବି ତାହା ସ୍ୱାଭାବିକ ସ୍ଥିତିକୁ ଫେରି ନ ଥିବା ବେଳେ ୧୭ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ତେଣୁ ଏବେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଚାଷୀକୂଳ ଆଶ୍ୱସ୍ତ ଲାଭ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.

7 + eight =