ଭୁବନେଶ୍ୱରରେ ୫ଶହ ଡେଇଁଲା ଡେଙ୍ଗୁ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫ଶହ ଡେଇଁ ଯାଇଛି । ଗତକାଲି ୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଆଉ ୫୨ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୩ରୁ ବଢ଼ି ୫୦୫ରେ ପହଞ୍ଚିଛି । ଏହା କେବଳ ରାଜଧାନୀବାସୀଙ୍କୁ ଆତଙ୍କିତ କରିନାହିଁ; ବିଏମ୍‌ସିକୁ ମଧ୍ୟ ଅକଳରେ ପକାଇଛି ।
ଅନ୍ୟପକ୍ଷରେ ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ଓ ବିଭିନ୍ନ ରାଜନୌତିକ ଦଳଙ୍କ ଗର୍ଜନ ପରେ ବିଏମ୍‌ସିର ନିଦ ଭାଙ୍ଗିଛି । ପ୍ରତ୍ୟେକ ଘରେ ସଚେତନତା ଟିମ୍ ପହଞ୍ଚିବା ସହ ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରିବା ଲକ୍ଷ୍ୟରେ ବିଏମ୍‌ସି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଆସନ୍ତାକାଲି ସକାଳ ୮ଟାରୁ ୩ଟି ଜୋନ୍‌ରେ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି । ସୂଚନା ମୁତାବକ, ଦକ୍ଷିଣ ପୂର୍ବ ଜୋନ୍‌ର ଶ୍ରୀୟାଛକ, କୁଲିବସ୍ତି, ବୁଦ୍ଧେଶ୍ୱରୀ କଲୋନି ଓ ସହିଦନଗର ଦୁର୍ଗାପୂଜା ମଣ୍ଡପ ଅଞ୍ଚଳରେ ସଚେତନତା ଅଭିଯାନ ହେବ । ସେହିଭଳି ଉତ୍ତର ଜୋନ୍‌ର ତାରିଣୀ ବସ୍ତି, ଡମଣା ହାଟ ବସ୍ତି, ଏଟିଏମ୍ ଛକ, ନୀଳାଦ୍ରିବିହାର ଏବଂ ଦକ୍ଷିଣପଶ୍ଚିମ ଜୋନ୍‌ର ଇନ୍ଦ୍ରଧନୁ ମାର୍କେଟ୍ ଗାନ୍ଧୀବସ୍ତି, ରେଣ୍ଟାଲ କଲୋନି ବସ୍ତିରେ ସଚେତନତା ଅଭିଯାନ ହେବ । ସୁରିଆ ଛକ, ଗାନ୍ଧୀବସ୍ତି ଓ କେୟାର ହସ୍‌ପିଟାଲ ନିକଟରେ ଥିବା ତାରିଣୀ ବସ୍ତିରେ ଫଗିଙ୍ଗ୍ ମଧ୍ୟ କରାଯିବା ପାଇଁ ସ୍ଥିର ହୋଇଛି । ଗତ କିଛିଦିନ ହେଲା ବିଏମ୍‌ସି କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ସଚେତନ କରୁଛନ୍ତି; ମଶା ବଂଶ ବୃଦ୍ଧି ପାଉଥିବା ଉତ୍ସଗୁଡ଼ିକୁ ନିୟମିତ ନଷ୍ଟ କରାଯାଉଛି ଏବଂ ସଫେଇ କର୍ମଚାରୀମାନେ ଛୋଟ ଗଛ ଓ ବୁଦା କାଟିବା ସହ ପାଣି ଜମିଥିବା ଜାଗାରେ ଔଷଧ ସ୍ପ୍ରେ କରୁଛନ୍ତି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଆଜି ପର୍ଯ୍ୟନ୍ତ ୫ ହଜାର ୩ଶହ ୬୬ ଘରେ ସଚେତନତା ଟିମ୍ ପହଞ୍ଚିଥିବା ବେଳେ ୨୨ ହଜାର ୨୬୦ ଜଣଙ୍କୁ ସଚେତନ କରାଯାଇଛି । ଆଜି ପର୍ଯ୍ୟନ୍ତ ୧୩୯୦ ଉତ୍ସ ନଷ୍ଟ କରାଯାଇଥିବା ବେଳେ ୫୮୮ ଉତ୍ସରୁ ମଶା ଲାର୍ଭା ନଷ୍ଟ କରାଯାଇଛି ।

Leave A Reply

Your email address will not be published.

nine + seven =