ରାଜ୍ୟରେ ସାର ସଂକଟ : କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ପାଇଁ ନିର୍ଦ୍ଧାରିତ ମାସିକ ସାର ଆବଣ୍ଟନ ଠାରୁ ଚଳିତ ଖରଫ୍‌ଋତୁରେ ନିଅଣ୍ଟିଆ ସାର ଯୋଗାଣ ଯୋଗୁଁ ରାଜ୍ୟରେ ସାର ସଙ୍କଟ ସୃଷ୍ଟି ହୋଇଥିଲା ବେଳେ ତୁରନ୍ତ ରାଜ୍ୟକୁ ଆବଶ୍ୟକ ସାର ଯୋଗାଇ ଦେବାଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମଣ୍ଡାବିୟାଙ୍କୁ ପତ୍ର ଲେଖି ତାଙ୍କର ହସ୍ତକ୍ଷେପ ଲୋଡିଛନ୍ତିି ।
ମୁଖ୍ୟମନ୍ତ୍ରୀ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ମାସିକ ଯୋଗାଣ ଯୋଜନା ଅନୁସାରେ ଏପ୍ରିଲ୍ ମାସରେ ଆପଣଙ୍କ ବିଭାଗ ରାଜ୍ୟର ଚାହିଦା ମୁତାବକ ସାର ଯୋଗାଇ ଦେଇଥିବାରୁ ଧନ୍ୟବାଦ । କିନ୍ତୁ, ମେ, ଜୁନ୍ ଏବଂ ଜୁଲାଇ ମାସରେ ବିଭିନ୍ନ କିସମର ସାର ଯୋଗାଣରେ ନିଅଣ୍ଟ ଦେଖାଦେଇଛି । ଆବଣ୍ଟନ ଅନୁସାରେ, ୨,୩୧,୫୩୦ ମେଟ୍ରିକ୍ ଟନ୍ ପାଇବାକୁ ଥିବାବେଳେ ଏଥର ଖରିଫଋତୁରେ ଏଯାବତ୍ ରାଜ୍ୟ ମାତ୍ର ୧,୪୫,୧୪୫ ମେଟ୍ରିକ୍ ଟନ୍ ୟୁରିଆ ପାଇଛି । ଏହା ବ୍ୟତିରେକେ, ୨,୧୦,୦୦୦ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ମଧ୍ୟ ଓଡ଼ିଶା ସହମତି ପ୍ରକାଶ କରିଥିଲା ।
ସେହିପରି, ଆବଣ୍ଟନ ଅନୁସାରେ, ୧,୫୨,୦୦୦ ମେଟ୍ରିକ୍ ଟନ୍ ଡିଏପି ପାଇବାକୁ ଥିବାବେଳେ ଏଯାବତ୍ ରାଜ୍ୟ ମାତ୍ର ୯୭,୭୬୩ ମେଟ୍ରିକ୍ ଟନ୍ ଡିଏପି ପାଇଛି । ଏଥିରେ ମଧ୍ୟ ୧,୪୫,୦୦୦ ମେଟ୍ରିକ୍ ଟନ୍ ଡିଏପି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ମଧ୍ୟ ଓଡ଼ିଶା ସହମତି ପ୍ରକାଶ କରିଥିଲା ।
ଏହାଛଡ଼ା, ୬୭,୨୦୦ ମେଟ୍ରିକ୍ ଟନ୍ ଏମ୍‌ଓପି ଏବଂ ୧,୬୮,୪୦୦ ଏନ୍‌ପିକେଏସ୍ ଆବଣ୍ଟନ ହୋଇଥିଲେ ସୁଦ୍ଧା ରାଜ୍ୟ ୪୨,୮୬୭ ମେଟ୍ରିକ୍ ଟନ୍ ଏମ୍‌ଓପି ଏବଂ ୧,୦୫,୭୯୮ ମେଟ୍ରିକ୍ ଟନ୍ ଏନ୍‌ପିକେଏସ୍ ପାଇଛି । ଏଥିପାଇଁ ୬୦,୦୦୦ ମେଟ୍ରିକ୍ ଟନ୍ ଏମ୍‌ଓପି ଏବଂ ୧,୪୨,୦୦୦ ମେଟ୍ରିକ୍ ଟନ୍ ଏନ୍‌ପିକେଏସ୍ ଯୋଗାଣ ପ୍ରସ୍ତାବରେ ବି ରାଜ୍ୟ ଏକମତ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ରାଜ୍ୟ ସାମଗ୍ରିକ ଭାବେ ଆବଣ୍ଟନର ୬୨% ଏବଂ ସମ୍ମତ ହୋଇଥିବା ଯୋଗାଣ ଯୋଜନାର ୬୯% ୟୁରିଆ ପାଇଛି । ଏହାଛଡ଼ା, ରାଜ୍ୟ ଅନ୍ୟାନ୍ୟ ସାରରୁ ମଧ୍ୟ ୬୦% ରୁ ୭୪% ପାଇଛି ।
ନିକଟ ଅତୀତରେ ହୋଇଥିବା ବାତ୍ୟା ‘ୟାସ୍‌’ ଏବଂ ବିଗତବର୍ଷମାନଙ୍କରେ ଅନ୍ୟ କେତେକ ସାମୁଦ୍ରିକ ତୋଫାନ ଯୋଗୁଁ ରାଜ୍ୟର କୃଷକମାନେ ଭୀଷଣ ଫସଲହାନୀ ସହିଛନ୍ତି । ତେଣୁ, ସେମାନଙ୍କର ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ସାର ଯୋଗାଣ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଜୁଲାଇ ମଧ୍ୟ ଭାଗରୁ ସେପ୍େଟମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ୟୁରିଆ ବ୍ୟବହାର ଅଧିକ ହୋଇଥିବା ବେଳେ ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ଅନ୍ୟାନ୍ୟ ସାରଗୁଡ଼ିକର ଚାହିଦା ଥାଏ । ତେଣୁ, କୃଷକମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଓଡ଼ିଶାକୁ ଆବଣ୍ଟନ ଏବଂ ପ୍ରଦତ୍ତ ସମ୍ମତି ଅନୁସାରେ ସାର ଯୋଗାଣ ପାଇଁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

four × five =