ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର : ମହାମାରୀ କରୋନାର ନିୟନ୍ତ୍ରଣ ପାଇଁ ଚାଲିଥିବା ଟିକାକରଣ ଅଭିଯାନରେ ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା କୁହାଯାଇଛି । ତେବେ ଜୁଲାଇ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରଖିଥିବା ଲକ୍ଷ୍ୟ ପୂରଣ ହୋଇଥିବା କୁହାଯାଇଛି । ଶତପ୍ରତିଶତ ଟିକାକରଣରେ ଭୁବନେଶ୍ୱର ଦେଶର ପ୍ରଥମ ସହର ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ବର୍ଗରେ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ ଟିକା ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ ଦେବାକୁ ଲକ୍ଷ୍ୟ ରହିଥିଲା । ମାତ୍ର ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ ଟିକା ଦିଆଯାଇଛି ବୋଲି ବିଏମସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇସାରିଛନ୍ତି ।
ଅପରପକ୍ଷରେ ୭ ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ ଟିକା ନେଇଥିବା କୁହାଯାଇଛି । ତେବେ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ମଧ୍ୟ ସମସ୍ତ ୪୫ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ଅନ୍ୟପକ୍ଷରେ ମଲ୍ ସମେତ ୧୦ଟି ସ୍ଥାନରେ ଥିବା ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି । ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସନ୍ତି । ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ । ଭୁବନେଶ୍ୱରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି । ବର୍ତ୍ତମାନ ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆ ଯାଉଛି ବୋଲି ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ।

Leave A Reply

Your email address will not be published.

2 × 5 =