ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍) ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ତାଙ୍କର ଜାମୀନ ଆବେଦନ ଅଗ୍ରାହ୍ୟ ହେବାକୁ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି । ଗତକାଲି ଚଢାଉ ବେଳେ ତାଙ୍କ ଠାରୁ ୩ କୋଟି ୭୯ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତି ଜବତ କରାଯାଇଥିଲା । ଅନ୍ୟପକ୍ଷରେ ଷ୍ଟାପ୍ ସିଲେକ୍ସନ୍ କମଶନର ଅଧ୍ୟକ୍ଷ ନିର୍ମଳ ମିଶ୍ର ବିରଞ୍ଚିଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ଘରୁ ଜବତ କରାଯାଇଥିବା ଆଡମିଟ୍ କାର୍ଡ ଉପରେ ତଦନ୍ତ ହେବ ବୋଲି ସେ କହିଛନ୍ତି । ତେବେ ଦୁର୍ନିତି ଗ୍ରସ୍ତଙ୍କ ବିରୋର୍ଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ମିଶ୍ର କହିଛନ୍ତି ।
ଶୁକ୍ରବାର ବିରଞ୍ଚିଙ୍କର ଭୁବନେଶ୍ୱର ଓ କଟକ ସ୍ଥିତ ବାସଭବନ ସମେତ ମୋଟ ୬ଟି ସ୍ଥାନରେ ରେଡ୍ କରାଯାଇଥିଲା । ରେଡ୍ ବେଳେ ଦେଢ଼ କିଲୋ ଓଜନର ସୁନା ଅଳଙ୍କାର, ନଗଦ ୨୫ ଲକ୍ଷ ଟଙ୍କା ଓ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରାଯାଇଥିଲା । ସେହିଭଳି ତାଙ୍କ ଘରୁ ନିଯୁକ୍ତି ସଂପର୍କିତ ବହୁ ଆବେଦନ ପତ୍ର ଓ ଆଡ୍ମିଟ୍ କାର୍ଡ ମଧ୍ୟ ଜବତ କରାଯାଇଥିଲା । ତା’ ସହିତ ୧୪ଟି ପ୍ଲଟ୍ ଓ ୨ଟି ଦୁଇ ମହଲା କୋଠା ସମେତ ମୋଟ ୪ଟି ଘର ଠାବ କରିଥିଲେ ।