୨୫ ବିଧାନସଭା ଆସନରେ ହେବ ଉପନିର୍ବାଚନ !

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୨୫ଟି ବିଧାନସଭା ଆସନ ପାଇଁ କେବେ ଉପନିର୍ବାଚନ କରାଯିବ ସେ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ତାରିଖ ଘୋଷଣା କରାଯାଇନଥିବାବେଳେ ଏ ନେଇ ଖୁବ୍ ଶୀଘ୍ର ବିଚାରବିମର୍ଶ ପାଇଁ ଆୟୋଗ ବୌଠକ କରିବେ ବୋଲି ଜଣା ଜଣାପଡ଼ିଛି । ସମ୍ବନ୍ଧିତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଭିତ୍ତିରେ ଉପନିର୍ବାଚନ କେବେ କରାଯିବ ସେ ନେଇ ଆୟୋଗ ତାରିଖ ଘୋଷଣା ସମ୍ଭାବନା ରହିଛି । ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା କରୋନା ମହାମାରୀର ଭୟଙ୍କର ସ୍ଥିତିକୁ ଦେଖି ମେ ୩ ତାରିଖରେ ଓଡ଼ିଶାର ପିପିଲି ତଥା ପଶ୍ଚିମବଙ୍ଗର ଦୁଇଟି ଆସନରେ ଭୋଟ ଗ୍ରହଣ ସ୍ଥଗିତ ରଖାଯାଇଥିଲା । କରୋନା ସ୍ଥିତି ସୁଧୁରିବା ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଆୟୋଗ ଉପନିର୍ବାଚନ ହେବାକୁ ଥିବା ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ମେଘାଳୟ, ହିମାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶର କରୋନା ସ୍ଥିତି ସଂପର୍କରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟକୁ ତର୍ଜମା କରିବେ । ପିପିଲିରେ ଏପ୍ରିଲ ୧୭ରେ ଉପନିର୍ବାଚନ ହେବାର ଥିଲା । ମାତ୍ର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ କାରଣରୁ ଭୋଟ ଗ୍ରହଣ ସ୍ଥଗିତ ରହିଥିଲା । ଏହା ପରେ ସାନି ବିଜ୍ଞପ୍ତି ଜାରି ହୋଇ ପ୍ରଥମେ ମେ ୧୩ ଓ ପରେ ୧୬ରେ ଭୋଟ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । କଂଗ୍ରେସ ପକ୍ଷରୁ ନୂଆ ପ୍ରାର୍ଥୀଭାବେ ବିଶ୍ୱକେଶନ ହରିଚନ୍ଦନ ନାମାଙ୍କନପତ୍ର ଦାଖଲ କରିଥିଲେ । ଚଳିତ ଉପନିର୍ବାଚନରେ ଆୟୋଗ ବୁଥ୍‌ମାନଙ୍କରେ ଭୋଟର ସଂଖ୍ୟାକୁ ବଢ଼ାଇବା ସହିତ ଟିକା ନେଇଥିବା କର୍ମଚାରୀଙ୍କୁ ପୋଲିଂ ପ୍ରକ୍ରିୟାରେ ସାମିଲ କରିବାକୁ ଗୁରୁତ୍ୱ ଦେବେ ବୋଲି ବିଚାର କରୁଥିବା ସୂଚନା ମିଳିଛି । ଅପରପକ୍ଷେ, ଉପନିର୍ବାଚନ ହେବାକୁ ଥିବା ୨୫ଟି ଆସନରୁ ଉତ୍ତର ପ୍ରଦେଶର ୬ଟି ଏବଂ ଉତ୍ତରାଖଣ୍ଡର ୨ଟି ଆସନରେ ଆୟୋଗ ନିର୍ବାଚନ ନ କରାଇବା ସମ୍ଭାବନା ରହିଛି । କାରଣ ଏହି ଦୁଇ ରାଜ୍ୟରେ ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ରହିଛି । ଜନ ପ୍ରତିନିଧି ଆଇନ ୧୯୫୧ ର ଧାରା ୧୫୧(ଏ) ଅର୍ନ୍ତଗତ ବିଧାନସଭାର କାର୍ଯ୍ୟକାଳ ବର୍ଷେରୁ କମ ରହିବା ସ୍ଥିତିରେ ଉପନିର୍ବାଚନ କରାଯାଇପାରିବ ନାହିଁ । ଏହି ଆଇନଗତ ଦିଗକୁ ନିର୍ବାଚନ ଆୟୋଗ ପରୀକ୍ଷା ନିରୀକ୍ଷା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

eighteen − 7 =