ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ୍ ପେଗାସସ୍ ମାମଲାର ଶୁଣାଣୀ ଆସନ୍ତା ୫ତାରିଖ ଗୁରୁବାର ଦିନ ସୁପ୍ରିମକୋର୍ଟରେ ହେବ । ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶ୍ରୀ ଏନ୍. ଭି ରମଣାଙ୍କ ନେତୃତ୍ୱରେ ଏକ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣୀ କରିବେ । ସୂଚନା ଯୋଗ୍ୟ ଯେ, ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଦ୍ୱାରା କରିବାକୁ ଗତ ସପ୍ତାହରେ ବରିଷ୍ଠ ସାମ୍ବାଦିକ ଏନ୍.ରାମ ଓ ଶଶୀ କୁମାର ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଦାୟର କରିଥିଲେ । ଏହି ମାମଲାର ଶୁଣାଣୀ ପାଇଁ ପୂର୍ବରୁ ସର୍ବୋଚ ଅଦାଲତ ଗ୍ରହଣ କରିଥିଲେ । ଏହି ଇସ୍ରାଏଲୀ ସ୍ପାଇୱେରରେ ଦେଶାର ବହୁ ବିରୋଧି ଦଳ ନେତା, ସାମ୍ବାଦିକ, ବିଚାରପତି ଓ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାଙ୍କୁ ନେଇ ପାର୍ଲାମେଂଟର ମୌସୁମୀ ଅଧିବେଶନ ଗତ ୧୯ତାରିଖ ଠାରୁ ଅଚଳ ହୋଇପଡିଛି ।
ଏହି ସ୍ପାଇୱେର୍ର ଲାଗି ଲାଇସେନ୍ସ୍ ପାଇଥିଲେ ନା, କୌଣସି ପ୍ରକାରର ସର୍ଭିଲେନ୍ସ୍ (ଗୁପ୍ତ ନଜର) ରଖିବା ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଏହାକୁ ବ୍ୟବହାର କରିଛନ୍ତି, ତାହା ବ୍ୟକ୍ତ କରିବାକୁ ସରକାରଙ୍କୁ ନିର୍ଦେଶ ଦେବାକୁ ଏହି ପିଟିସନ୍ ଫାଇଲ୍ କରିଥିବା ସାମ୍ବାଦିକ ଏନ୍ ରାମ, ସିପିଏମ୍ ନେତା ଜନ୍ ବ୍ରିଟ୍ଟସ୍ ଏବଂ ଆଡ୍ଭୋକେଟ୍ ଏମ୍ଏଲ୍ ଶର୍ମା ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ।
ସେମାନେ କହିଛନ୍ତି ଯେ, ‘ସିକ୍ୟୁରିଟି ଲ୍ୟାବ୍ ଅଫ୍ ଆମନେଷ୍ଟି ଇଣ୍ଟରନ୍ୟାସ୍ନାଲ୍’ ତାଲିକାଭୁକ୍ତ ସମ୍ଭାବ୍ୟ ଟାର୍ଗେଟ୍ରେ ଥିବା କେତେକ ବ୍ୟକ୍ତିବିଶେଷଙ୍କର କେତେଗୁଡ଼ିଏ ମୋବାଇଲ୍ ଫୋନ୍ର ‘ନିରାପତ୍ତା ଉଲ୍ଲଂଘନ’ ହୋଇଥିବା କଥା ଫୋରେନ୍ସିକ୍ ବିଶ୍ଳେଷଣରୁ ଜଣାପଡ଼ିଛି ।
ଏହା ସ୍ପାଇୱେ ଏବଂ ଫୋନ୍ ହ୍ୟାକ୍ କରିବାକୁ ବ୍ୟବହାର କରାଯାଏ ବୋଲି ‘ପେଗସସ୍’ର ମାଲିକ ‘ଏନ୍ଏସ୍ଓ ଗ୍ରୁପ୍’ ସ୍ୱୀକାର କରିଥିଲେ ବି, ସେମାନେ କେବଳ ସରକାର ଏବଂ ସରକାରୀ ଏଜେନ୍ସିଙ୍କ ସହ ବ୍ୟବସାୟ କରନ୍ତି ବୋଲି କହିଛନ୍ତି । ସେହିପରି ଭାରତ ସରକାର ମଧ୍ୟ କହିଛନ୍ତି ଯେ, ବିରୋଧୀ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କ ବିରୋଧରେ ପେଗସସ୍ ବ୍ୟବହୃତ ହୋଇଛି ବୋଲି ପ୍ରକାଶିତ ରିପୋର୍ଟର କୌଣସି ପ୍ରମାଣ ନାହିଁ ।
ସୂଚନାଯୋଗ୍ୟ ଯେ, ଇସ୍ରାଏଲ ସରକାର ପେଗାସସ୍ର ଗୁଇନ୍ଦାଗିରି ସମ୍ପର୍କରେ ବିଚାରବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା ବେଳେ ଫ୍ରାନ୍ସ ସରକାର ମଧ୍ୟ ତଦନ୍ତ ଜାରୀ ରଖିଛନ୍ତି ।