କଟକ: ଶ୍ରୀରାମ ଚନ୍ଦ୍ରଭଞ୍ଜ ମେଡିକାଲ୍ କଲେଜ୍ (ଏସିବି) ରାଜ୍ୟ ସରକାର ବିଶ୍ୱସ୍ତରୀୟ ହସ୍ପିଟାଲ୍ରେ ପରିଣତ କରିବା ପାଇଁ ଯୋଜନା ଜାରୀ ରଖିଥିଲା ବେଳେ ଏବେ ମେଡିକାଲରେ ଅନ୍ଧାରୀ ଚିକିତ୍ସା ଭଳି ଉଦବେଗଜନକ ଘଟଣା ଲୋକ ଲୋଚନକୁ ଆସିଛି । ଜରୁରୀକାଳୀନ ୱାର୍ଡରେ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖୁଥିବାର ଭିଡିଓ ପ୍ରସାରିତ ହୋଇଛି । ରାଜ୍ୟର ସବୁଠାରୁ ବଡ଼ ମେଡିକାଲର ଅବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି ।
ଗତକାଲି ରାତି ପ୍ରାୟ ସାଢେ ୯ଟାରେ କଟକ ଏସସିବି ମେଡିକାଲ କଲେଜରେ ୧୫ ମିନିଟ ପାଇଁ ବିଜୁଳି ଆଲୁଅ ଚାଲି ଯାଇଥିଲା । ଏହି ସମୟରେ ସେଠାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଓ ଚିକିତ୍ସା କରୁଥିବା ଡାକ୍ତର ଟର୍ଚ୍ଚ ବ୍ୟବହାର କରି ଚିକିତ୍ସା କରିଥିଲେ । ତେବେ ଜରୁରୀକାଳୀନ ବିଭାଗକୁ ରୋଗୀ ତତକ୍ଷଣାତ ଚିକିତ୍ସା ପାଇଁ ଆସୁଥିବାବେଳେ କୌଣସି ବିକଳ୍ପ ବ୍ୟବସ୍ଥା ନରହିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ୧୫ ମିନିଟ ପାଇଁ ବିଜୁଳି ଯାଇଥିଲା ଓ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ବୋଲିି କଟକ ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ କହିଛନ୍ତି ।