ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ତିନି ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍ରେ ପରାସ୍ତ କରି ଭାରତୀୟ ମହିଳା ହକି ଟିମ୍ ପ୍ରଥମ ଥର ପାଇଁ ସେମି ଫାଇନାଲ୍ରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି । ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ସେମି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିବାର ଗୌରବ ଅର୍ଜନ କରିଛି ।
ଆଜି ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍ରେ ହରାଇଛି । ଦଳ ପକ୍ଷରୁ ଗୁରଜୀତ କୌର ପେନାଲ୍ଟି ସ୍କୋର ମାରି ଏକମାତ୍ର ଗୋଲ୍ ଦେଇଥିଲେ । ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ପ୍ରଥମ ଗୋଲ୍ । ମ୍ୟାଚ୍ର ୨୨ତମ ମିନିଟ୍ରେ ଗୁରଜୀତ ଏକ ପେନାଲ୍ଟି କର୍ଣ୍ଣର ଦ୍ୱାରା ଏହି ଗୋଲ୍ କରିଥିଲେ । ଆଉ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳକୁ ଏହା ଅଗ୍ରଣୀ ରଖିଥିଲା ।
ଅଷ୍ଟ୍ରେଲିଆ ଆକ୍ରମଣତ୍ମକ୍ କ୍ରୀଡା ନୌପୁନ୍ୟ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତୀୟ ଦଳ ସେସବୁକୁ ପ୍ରତିରୋଧ କରିବାରେ ସମର୍ଥ ହୋଇଥିଲା । ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆର ୯ଟି ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ ହେବାକୁ ଦେଇ ନଥିଲା । ଆଉ ଏହା ପଛରେ ମୂଖ୍ୟ ଭୂମିକା ଥିଲା ଗୋଲକିପର ତଥା ଉପ-ଅଧିନାୟକ ସବିତା ପୁନିଆଙ୍କର । ସେ ଗୋଲପୋଷ୍ଟ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଝିରେ ପ୍ରାଚୀର ଭଳି ଛିଡ଼ା ହୋଇଥିଲେ । କିନ୍ତୁ ଯେଉଁ ଗୋଟିଏ ପେନାଲ୍ଟି କର୍ଣ୍ଣର ଭାରତୀୟ ଦଳ ପାଇଥିଲା, ତାକୁ ଗୋଲ୍ରେ ପରିଣତ କରି ଏହି ମ୍ୟାଚ୍ ଜିତି ଯାଇଥିଲା । ଏହି ମ୍ୟାଚ୍ ପରେ ଗୁରଜୀତ କୌର କହିଛନ୍ତି, ‘ଏହି ବିଜୟକୁ ନେଇ ଆମେ ସମସ୍ତେ ବହୁତ ଖୁସି । ଏହି ବିଜୟ ପାଇଁ ସମସ୍ତେ କଠିନ ପରିଶ୍ରମ କରିଥିଲେ । ଆମେ ଏକ ଦଳ ହୋଇ ଖେଳିଥିଲୁ । ସେମି ଫାଇନାଲ୍କୁ ଉନ୍ନୀତ ହୋଇଥିବାରୁ ଖୁବ୍ ଖୁସି ଅଛୁ । ଯେଉଁମାନେ ଆମକୁ ସମର୍ଥନ କରିଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ୍ । ଆମକୁ ଆମର ପୂରା ଦେଶ ସମର୍ଥନ କରୁଛି । ଆମ ପାଇଁ ପୂରା ଦେଶବାସୀ ପ୍ରାର୍ଥନା କରୁଛନ୍ତି ।’
ଟୋକିଓ ଅଲିମ୍ପିକ୍ସର ପ୍ରଥମ ତିନୋଟି ମ୍ୟାଚ୍ ଭାରତୀୟ ମହିଳା ହକି ଦଳ ହାରି ଯାଇଥିଲା । ଦଳ ନେଦରଲ୍ୟାଣ୍ଡ ଠାରୁ ୫-୧ରେ, ଜର୍ମାନୀ ଠାରୁ ୨-୦ରେ ଓ ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୧ ଗୋଲ୍ରେ ପରାସ୍ତ ହୋଇଥିଲା । ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ତା’ର ପ୍ରଥମ ବିଜୟ ହାସଲ କରିଥିଲା । ଦଳ ଆୟର୍ଲ୍ୟାଣ୍ଡକୁ ୧-୦ରେ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଥିଲା । ଆଉ ଆଜି କ୍ୱାର୍ଟର ଫାଇନାଲ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଛି । ଆସନ୍ତା ୪ତାରିଖ ଦିନ ଆର୍ଜେଂଟିନା ଓ ଭାରତୀୟ ମହିଳା ଟିମ୍ ମଧ୍ୟରେ ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଭାରତୀୟ ମହିଳା ଟିମ୍ ଏହି ଐତିହାସିତ ବିଜୟ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକରେଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଅଭିନନ୍ଦନ ଜଣାଇଛନ୍ତି । ଆଗକୁ ବିଜୟ ଧାରା ଜାରୀ ରଖିବେ ବୋଲି ସେମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍ ମଧ୍ୟ ସେମି ଫାଇନାଲ୍ରେ ପହଞ୍ଚିଛି । ରବିବାର ଦଳ ଗ୍ରେଟ୍ ବ୍ରିଟେନ୍କୁ ୩-୧ ଗୋଲ୍ରେ ପରାସ୍ତ କରି ସେମି ଫାଇନାଲ୍ରେ ପ୍ରବେଶ କରିଛି । ଦଳ ମଙ୍ଗଳବାର ବେଲ୍ଜିୟମ ବିପକ୍ଷରେ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ ।