ଦେଶରେ ସ୍ଥାପନ ହେଲା ପ୍ରଥମ ଭୂକମ୍ପ ପ୍ରାକ୍ ସୂଚନା ବ୍ୟବସ୍ଥା

ଡେରାଡୁନ: ଭୂକମ୍ପ ଜନିତ କ୍ଷୟକ୍ଷତି ବିଶେଷକରି ମୃତାହତକୁ ଏଣିକି କମାଯାଇପାରିବ । ବିକଶିତ ଦେଶରେ ବ୍ୟବହାର ହେଉଥିବା ଭୂକମ୍ପ ପ୍ରାର୍କ ସୂଚନା କେନ୍ଦ୍ର ଆଧାରରେ ଦେଶରେ ପ୍ରଥମ କରି ବ୍ୟବହୃତ ମେସିନ୍‌କୁ ସ୍ଥାପନ କରାଯାଇଛି । ଉତ୍ତରାଖଣ୍ଡରେ ସ୍ଥାପିତ ହୋଇଛି ଭାରତର ଏହି ପ୍ରଥମ ଭୂକମ୍ପ ଆଦ୍ୟ ସୂଚନା ପ୍ରଦାନକାରୀ ବ୍ୟବସ୍ଥା । ବୁଧବାର ଦିନ ଏହା ଉଦଘାଟିତ ହୋଇଛି । ଭୂକମ୍ପ ଅନୁଭୂତ ହେବା କ୍ଷେତ୍ରରେ ଏହା ଉକ୍ତ ଅଞ୍ଚଳ ଜନସାଧାରଣଙ୍କୁ ଫୋନରେ ସତର୍କ ସୂଚନା ପଠାଇବ । ଏହାଦ୍ୱାରା ଲୋକମାନେ ନିରାପଦ ସ୍ଥାନକୁ ଚାଲିଯିବାକୁ ସମୟ ପାଇବେ । ପୂର୍ବରୁ ଜାପାନ, ମେକ୍ସିକୋ ଏବଂ ଆମେରିକାରେ ଏହିଭଳି ଭୂକମ୍ପ ପ୍ରାକ୍ ସୂଚନା ପ୍ରଦାନ ବ୍ୟବସ୍ଥା ସ୍ଥାପନ କରାଯାଇସାରିଛି । ସୂଚନାଯୋଗ୍ୟ ଯେ ଏହି ବ୍ୟବସ୍ଥାଗୁଡିକ ବାସ୍ତବ ସମୟ ଭିତ୍ତିରେ ଭୂକମ୍ପ ସମ୍ପର୍କିତ ସମସ୍ତ ବିଷୟକୁ ନିରୀକ୍ଷଣ କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସବୁଠାରୁ ମନ୍ଥର ଭୂକମ୍ପନ ମଧ୍ୟ ଘଣ୍ଟାକୁ ୧୧,୧୦୦ କିଲୋମିଟର ବେଗରେ ଗତି କରିଥାଏ । ଯଦ୍ଦ୍ୱାରା ଏହାର ଉତ୍ପତ୍ତିସ୍ଥଳଠାରୁ ଦୂରରେ ଥିବା ଲୋକମାନେ କିଛି ସତର୍କତା ପଦକ୍ଷେପ ନେବାକୁ କିଛି ସେକେଣ୍ଡ ସମୟ ପାଇବେ । ସେହି କିଛି ସେକେଣ୍ଡ ମଧ୍ୟରେ ଲୋକଙ୍କୁ ସତର୍କ କରାଇ ଦିଆଯିବ । ଏହି ବ୍ୟବସ୍ଥା ପାଇଁ ଉତ୍ତରାଖଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଆଇଆଇଟି-ରୁରକି ଦ୍ୱାରା ଏକ ନୂଆ ଆପ୍ଲିକେସନ ଉତ୍ତରାଖଣ୍ଡ ଭୂକମ୍ପ ଆଲର୍ଟ ଆପ୍ ବିକାଶ କରାଯାଇଛି ।

Leave A Reply

Your email address will not be published.

5 × three =