ଭୁବନେଶ୍ୱର: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁବାର ଦିଗପହଣ୍ଡି ଠାରେ ଏକ ତୁଳା ଜିନିଙ୍ଗ ମିଲ୍ ଓ ପ୍ରେସିଂ ମିଲ୍ ଏବଂ ଏକ ନୂଆ ବସ୍ ଟର୍ମିନାଲ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛୋଟ ଛୋଟ ଟାଉନ୍ ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ । ରାସ୍ତାଘାଟ, ଡ୍ରେନେଜ୍ ସୁବିଧା ସହିତ ପିଇବା ପାଣିର ସୁବିଧା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି । ଆଜି ବସ୍ ଟର୍ମିନାଲ ମଧ୍ୟ ଉଦ୍ଘାଟିତ ହେଲା । ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନଯାପନର ମାନରେ ଗୁଣାତ୍ମକ ଉନ୍ନତି ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ତୁଳା ଜିନିଙ୍ଗ ମିଲ୍ ରାଜ୍ୟର ସମବାୟ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ।ଏହା ଆମର କପା ଚାଷୀ ମାନଙ୍କ ରୋଜଗାର ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାସହିତ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଫସଲର ବିବିଧକରଣ ପାଇଁ ପ୍ରେରଣା ଦେବ । ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଆମର ଲକ୍ଷ୍ୟ ପୂରଣ କରିବାରେ ଏହା ବହୁତ ସହାୟକ ହେବ ବୋଲି ସେ କହିଥିଲେ । ନିକଟରେ ରାଜ୍ୟ ସରକାର କ୍ରୀଡା ଭିତିଭୂମିର ବିକାଶ ପାଇଁ ନିଷ୍ପତି କରିଛନ୍ତି । ଏଥିରେ ସାରା ରାଜ୍ୟରେ ୮୯ଟି ମଲ୍ଟି ପରେପାଜ୍ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯିବ । କ୍ରୀଡା ସହିତ ବାତ୍ୟା ଆଶ୍ରୟସ୍ଥଳ ଠାରୁ ଆରମ୍ଭ କରି ଡାକ୍ତରଖାନା ପରି ମଧ୍ୟ ଏହା କାମ କରିବ । ଦିଗପହଣ୍ଡିରେ ମଧ୍ୟ ଗୋଟିଏ ମଲ୍ଟି ପରେପାଜ୍ ଇନଡୋର ଷ୍ଟାଡିୟମ କରିବା ପାଇଁ ନିଷ୍ପତି ହୋଇଛି ବୋଲି ସେ କହିଥିଲେ । ଏହା ଆମର ପିଲାମାନଙ୍କର କ୍ରୀଡା ପ୍ରତିଭାକୁ ବିକଶିତ କରିବାରେ ବିଶେଷ ସହାୟକ ହେବ ।କ୍ରୀଡା ହିଁ ଯୁବସମାଜର ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଥାଏ । ନିକଟରେ ଭାରତୀୟ ହକି ଦଳ ଦୀର୍ଘ ୪୦ ବର୍ଷ ପରେ ଅଲମ୍ପିକ୍ରେ ମେଡାଲ ଜିତିପାରିଛି । ଆମ ଓଡିଶାର ଦୁଇ ଜଣ ଖେଳାଳୀ ମଧ୍ୟ ଏହି ଟିମ୍ରେ ଅଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆମର ଯୁବ ସମାଜ ଉପରେ ମୋର ବହୁତ ଭରସା ଅଛି । ମୋର ପୁରା ବିଶ୍ୱାସ, ଯୁବ ସମାଜ ହିଁ ଆଗାମୀ ଦିନରେ ସବୁ କ୍ଷେତ୍ରରେ ଉକôର୍ଷ ହାସଲ କରି, ଆମ ଓଡିଶା ପାଇଁ, ସାରା ଦେଶ ପାଇଁ, ସୁନାମ ଆଣିବେ ।’ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଲେ ଯେ ଏହି ଦୁଇଟିଯାକ ପ୍ରକଳ୍ପ ଦିଗପହଣ୍ଡିର ସାମଗ୍ରୀକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦିଗପହଣ୍ଡି ଓ ଗଞ୍ଜାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ସେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।ସୂଚନାଯୋଗ୍ୟ ଯେ ଦିଗପହଣ୍ଡି ଅଂଚଳରେ ପୂର୍ବରୁ ମାତ୍ର ୫୦୦ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ଏବେ ଏହା ୫୦୦୦ ହେକ୍ଟରେ ପହଂଚିଛି । ପୂର୍ବରୁ ୪ କ୍ୱିଂଟାଲ ତୁଳା ଅମଳ ହେଉଥିବା ବେଳେ, ଏବେ ୪୪ କ୍ୱିଂଟାଲ ତୁଳା ଅମଳ ହେଉଛି । ତୁଳା ଜିନିଙ୍ଗ ମିଲ୍ ପାଇଁ ୩.୨୮ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଏହା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର କପା ଚାଷୀ ମାନଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି କରିପାରିବ । ସେହିପରି ବସ୍ ଟର୍ମିନାଲ ଯୋଗୁ ଦିନକୁ ପ୍ରାୟ ୧୦୦ ରୁ ୧୫୦ ବସ୍ ଚଳାଚଳ ହୋଇପାରିବ ।