ପୁଣି ଆସିବ କି ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା!

ନୂଆଦିଲ୍ଲୀ : ଆମେରିକାରେ ପୁଣି ଆର୍ଥିକ ସଂକଟର ସଂକେତ ଦେଖାଦେଇଛି । ଆମେରିକାର ୧୬ତମ ବୃହତ୍ତମ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିବି )କୁ ବନ୍ଦ କରିବା ଘଟଣା ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ କବଳିତ କରିବାର ଆଶଙ୍କା ବଢିଯାଇଛି । ଏହି ଖବର ଆସିବା ମାତ୍ରେ ଭାରତ ସମେତ ବିଶ୍ୱର ପ୍ରମୁଖ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି ଓ ନିବେଶକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ଗତ ଦୁଇ ଦିନ ମଧ୍ୟରେ ଆମେରିକୀୟ ବ୍ୟାଙ୍କଗୁଡ଼ିକ ଷ୍ଟକ ବଜାରରେ ୧୦୦ ବିଲିୟନ ଡଲାର ହରାଇଛନ୍ତି । ସେହିପରି ୟୁରୋପର ବ୍ୟାଙ୍କଗୁଡ଼ିକ ଷ୍ଟକ ବଜାରରେ ୫୦ ବିଲିୟନ ଡଲାର ହରାଇଛନ୍ତି । ଶୁକ୍ରବାର ଭାରତରେ ବଜାର ଖୋଲିବା ମାତ୍ରେ ନିବେଶକମାନେ ପ୍ରଥମ ଘଣ୍ଟାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହରାଇଥିଲେ । ସିଲିକନ୍ ଭ୍ୟାଲି ବ୍ୟାଙ୍କ ବୁଡ଼ିବା ଆମେରିକାର ୨୦୦୮ ଆର୍ଥିକ ସଙ୍କଟ ପରଠାରୁ ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ୍ ସଙ୍କଟ ବୋଲି କୁହାଯାଉଛି । ୨୦୦୮ରେ ଲିମ୍ୟାନ ବ୍ରଦର୍ସ ବୁଡ଼ିବା ପରେ ଆମେରିକାର ଆର୍ଥିକ ସଂକଟ ଆରମ୍ଭ ହୋଇଥିଲା ଓ ତାହା ସମଗ୍ର ବିଶ୍ୱକୁ କବଳିତ କରିଥିଲା । ସିଲିକନ୍ ଭ୍ୟାଲି ବ୍ୟାଙ୍କ ମୁଖ୍ୟତଃ ସମଗ୍ର ବିଶ୍ୱର ଷ୍ଟାର୍ଟଅପ୍ ଗୁଡ଼ିକୁ ପାଣ୍ଠି ଯୋଗାଉଛି । କେବଳ ଆମେରିକାରେ ପ୍ରାୟ ୫୦ ପ୍ରତିଶତ ଷ୍ଟାର୍ଟଅପ୍ ଥିଲା ଯେଉଁଥିରେ ଏସଭିବି ବିଭିନ୍ନ ରେଞ୍ଚର କ୍ୟାପିଟାଲିଷ୍ଟଙ୍କ ଜରିଆରେ ନିବେଶ କରିଥିଲା । ରିପୋର୍ଟ ଅନୁଯାୟୀ, ଏସଭିବି ଭାରତରେ ପ୍ରାୟ ୨୦ଟି ଷ୍ଟାର୍ଟଅପରେ ନିବେଶ କରିଛି । ବ୍ୟାଙ୍କ ଭାଙ୍ଗିବା ପରେ ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି ଗ୍ରାହକଙ୍କ ଜମା ରାଶି । କାରଣ ଦେବାଳିଆ ହେବା ପରେ ବ୍ୟାଙ୍କିଙ୍ଗ କାର୍ଯ୍ୟ ଠପ୍ ହୋଇଯାଏ ଏବଂ ଗ୍ରାହକଙ୍କୁ ଟଙ୍କା ଉଠାଇବାକୁ ଅନୁମତି ଦିଆଯାଏ ନାହିଁ ।

Leave A Reply

Your email address will not be published.

3 × 3 =