ଚମ୍ପୁଆରେ ଅମୃତ ସରୋବର ଯୋଜନା ଫେଲ,କେବଳ ପଙ୍କ ଉଦ୍ଧାରରେ ସୀମିତ

ଚମ୍ପୁଆ : ପ୍ରତି ପଞ୍ଚାୟତରେ ଏକ ଏକରରୁ ଅଧିକ ଜମି ଥିବା  ପରିସରରେ ଥିବା ପୁରୁଣା ପୋଖରୀ, ପୁଷ୍କରିଣୀ ଗୁଡିକର ପୁନଃ ଉଦ୍ଧାର ସହିତ ଏଗୁଡିକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଦେଶର ଆଜାଦି କି ଅମୃତ ମହୋତ୍ସବ  ପାଳନ କରିବା ଅବସରରେ ଅମୃତ ସରୋବର ଯୋଜନା ର ପରିକଳ୍ପନା କରାଯାଇଥିଲା l ଅମୃତ ସରୋବର ଯୋଜନା ପାଇଁ ମନରେଗା, ପଞ୍ଚଦଶ ଅର୍ଥ କମିଶନ ଆଦି ଯୋଜନାରୁ ଅର୍ଥ ଯୋଗାଇ ଦିଆଯାଇଥିବାବେଳେ, ପୁରୁଣା ପୋଖରୀକୁ ପୁନଃ ଉଦ୍ଧାର କରିବା ସହିତ ପୁଷ୍କରିଣୀ କଡ଼ରୁ ଜବର ଦଖଲ ହଟାଇ ଡ୍ରେନ ପାଣି ଯେପରି ସିଧା ସଳଖ ପୁଷ୍କରିଣୀରେ ନ ପଶେ, ଡ୍ରେନ ପାଣିକୁ ବିଶୋଧନ କରି ପୋଖରୀକୁ ଛାଡିବା, ଅମୃତ ସରୋବର କଡରେ ନିମ୍ବ, ବର ଗଛ ଆଦି ଲଗାଇବା ତଥା ପୋଖରୀରେ ଦଳ ନ ହେବା ଆଦି ବ୍ୟବସ୍ଥା କରିବା ଓ ପୋଖରୀର ଚାରି କଡ଼ ସୌନ୍ଦର୍ଯ୍ୟ କରଣ କରିବା ଆଦି ଏହି ଯୋଜନାରେ ଅନ୍ତର୍ଭୁକ୍ତ l ତେବେ ଚମ୍ପୁଆ ବ୍ଲକ, ସୁନାପୋଷି ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପ୍ରସ୍ଥ ଗ୍ରାମ୍ୟ ପୋଖରୀ କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଗତ ୨0୨୨ ଜୁଲାଇ ୨0 ତାରିଖରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲେହେଁ କାର୍ଯ୍ୟକୁ ଏକ ବର୍ଷ ବିତିବାକୁ ବସିଲାଣି କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇ ଅଧପନ୍ତରିଆ ଭାବେ ପଡିରହିଥିବା ଦେଖିବାକୁ ମିଳିଛି l ଏହି କାମକୁ ରାତି ଅଧିଆ ମେସିନ ସାହାଯ୍ୟରେ କେବଳ ପଙ୍କ ଉଦ୍ଧାର କରାଯାଇ ପୋଖରୀ ଚାରି କଡ଼କୁ ସମତୁଲ କରି କାମକୁ ଅଧପନ୍ତରିଆ ଭାବେ ଛାଡି ଦିଆ ଯାଇଥିବା ଦେଖିବାକୁ ମିଳିଛି l ପୂର୍ବରୁ ଏହି ପୋଖରୀରେ ପଞ୍ଚାୟତ ପକ୍ଷରୁ କରାଯାଇଥିବା ଗାଧୁଆ ତୁଠ ଓ ପାହାଚ ଗୁଡିକ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ସେଗୁଡିକୁ ମରାମତି କରା ନ ଯାଇ ତରବରିଆ ଭାବରେ ବିଡ଼ିଓଙ୍କ ଉପସ୍ଥିତିରେ ଗତ ଅଗଷ୍ଟ ୧୫ ତାରିଖରେ ଏହାର ଉଦଘାଟନ ମଧ୍ୟ ମହା ଆଡମ୍ବର ସହକାରେ କରାଯାଇଛି l ଏହି ଅମୃତ ସରୋବର ର ପରିକଳ୍ପନା ପାଣିରେ ଗାର ଟାଣିବା ସଙ୍ଗେ ସମାନ ହୋଇଛି l ଗ୍ରାମବାସୀ ଏହି ଅମୃତ ସରୋବରକୁ ନେଇ ବହୁ ଉତ୍ସାହିତ ଥିବାବେଳେ ନୂଆ ରୂପ ପାଇବାକୁ ଥିବା ଏହି ପୁରୁଣା ପୋଖରୀ ରେ ଲକ୍ଷାଧିକ ଅନୁଦାନ ଖର୍ଚ୍ଚ ହେବା ସତ୍ୱେ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ରହିଛି l ତେବେ ଏ ସମ୍ପର୍କରେ ଚମ୍ପୁଆ ଏପିଓ ସଂଗୀତା ମାଝୀ ଙ୍କୁ ଯୋଗାଯୋଗ କରିବାରୁ ମୋତେ କାହିଁକି ପଚାରୁଛ, ପଞ୍ଚାୟତ ବାଲାଙ୍କୁ ପଚାର ବୋଲି କହି ଏଡାଇ ଯାଇଥିବାବେଳେ ପଞ୍ଚାୟତର ଜିଆରଏସ ସୁଭଦ୍ରା ବେହେରାଙ୍କୁ ପଚରା ଯିବାରୁ ଏହି ଯୋଜନାରେ ଆଉ ଅର୍ଥ ନାହିଁ, ଯାହାଥିଲା ଖର୍ଚ୍ଚ ହୋଇ ଯାଇଛି, ପୁଣି ଅର୍ଥ ଆସିଲେ କାମ ହେବ ବୋଲି ସଫେଇ ଦେଇ ଥିଲେ l ଚମ୍ପୁଆ ବ୍ଲକରେ ଏହି ଅମୃତ ସରୋବର ଯୋଜନା କେବଳ ଯୋଜନାରେ ହିଁ ରହିଯାଇଥିବା ଆଲୋଚନା ହେଉଛି l 

Leave A Reply

Your email address will not be published.

3 × three =