ମନ୍ କୀ ବାତ୍ : ଓଡ଼ିଆ ବୈଜ୍ଞାନିକାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଭାରତର ନାରୀ ଶକ୍ତି ସବୁ କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରୁଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୯୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ବେଳେ ଓଡ଼ିଆ ବୈଜ୍ଞାନିକା ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା ଉଲ୍ଲେଖ କରିଛନ୍ତି । ଆଜି ଏକ ନୂତନ ଦୃଷ୍ଟିକୋଣ ନେଇ ଆବିର୍ଭାବ ହେଉଥିବା ଭାରତର ଭବିଷ୍ୟତ କ୍ଷେତ୍ରରେ ମହିଳା ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହି ‘କେମିଷ୍ଟ୍ରି’ ଏବଂ ‘କେମିକାଲ୍ ଇଞ୍ଜିନିୟରିଙ୍ଗ୍’ କ୍ଷେତ୍ରରେ ‘ଭାବା ଆଟୋମିକ୍ ରିସର୍ଚ ସେଣ୍ଟର୍’ର ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ‘ଆଇୟୁପିଏସି’ର ବିଶେଷ ପୁରସ୍କାର ପାଇଥିବା ଉଲ୍ଲେଖ କରିଛନ୍ତି । ଏହା ଦେଶ ପାଇଁ ଗୌରବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଯୋଜକ ଗୁନୀତ୍ ମୋଙ୍ଗା ଏବଂ ନିର୍ଦେଶିକା କାର୍ତିକୀ ଗନ୍ସାଲ୍ବେସ୍ ପ୍ରାମାଣିକ ଚଳଚ୍ଚିତ୍ର ‘ଦି ଏଲିଫ୍ୟାଣ୍ଟ୍ ୱିସ୍ସ୍ପସ୍’ ପାଇଁ ‘ଓସ୍କାର୍’ ଜିଣି ଦେଶକୁ ଗୌରବାନ୍ୱିତ କରିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ୧୯ ବର୍ଷରୁ କମ୍ ମହିଳା କ୍ରିକେଟ୍ ଟିମ୍ ‘ଟି-୨୦ ବିଶ୍ୱକପ୍’ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନାଗାଲାଣ୍ଡ୍ରେ ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇ ୨ଜଣ ମହିଳା ବିଧାୟିକା ବିଧାନସଭାରେ ପହଞ୍ଚି ପାରିଛନ୍ତି । ଜାତିସଂଘର ଶାନ୍ତିରକ୍ଷା ସେନାରେ ମଧ୍ୟ ଭାରତ କେବଳ ମହିଳା ପ୍ଲାଟୁନ୍ ମୁତୟନ କରିଛି । ମହିଳାମାନେ ସବୁ କ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନିକଟ ଅତୀତରେ ‘ବନ୍ଦେ ଭାରତ ଟ୍ରେନ୍’ ଚଳାଇଥିବା ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ୍ ସୁରେଖା ଯାଦବ ଏବଂ ସିଆଚେନରେ ମୁତୟନ ହୋଇଥିବା ପ୍ରଥମ ମହିଳା ଅଧିକାରୀ କ୍ୟାପଟେନ ଶିବା ଚୌହାନଙ୍କ କଥା ବି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଧୁନିକ ଡାକ୍ତରୀ ବିଜ୍ଞାନରେ ଜଣକୁ ଜୀବନ ଦାନ କରିବାରେ ଅଙ୍ଗଦାନ ଅତି ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି । କଥିତ ଅଛି ଯେ, ମୃତ୍ୟୁ ପରେ ଜଣେ ବ୍ୟକ୍ତି ତାଙ୍କର ଶବଦାନ କରିବାଦ୍ୱାରା ୮/୯ଜଣ ଲୋକ ନୂତନ ଜୀବନ ପାଇଯାଆନ୍ତି । ଅଙ୍ଗଗ୍ରହୀତାମାନେ ଅଙ୍ଗଦାତାଙ୍କୁ ଈଶ୍ୱର ମଣନ୍ତି ।୨୦୧୩ରେ ଦେଶରେ ୫୦୦୦ରୁ କମ୍ ଅଙ୍ଗଦାନ କରାଯାଇଥିଲା । କିନ୍ତୁ, ୨୦୨୨ରେ ଏହା ୧୫,୦୦୦କୁ ବୃଦ୍ଧି ପାଇଛି । ଆତ୍ମସନ୍ତୋଷର କଥା ଏହିକି ଯେ, ଦେଶରେ ଅଙ୍ଗଦାନ ପ୍ରତି ଜନସଚେତନତା ବୃଦ୍ଧି ପାଉଛି । ସୌରଶକ୍ତି କ୍ଷେତ୍ରରେ ଭାରତ ଯେଉଁ ବେଗରେ ଅଗ୍ରଗତି କରୁଛି ତାହା ବଡ଼ କୃତ୍ୱିତ୍ୱର କଥା । ‘ସବ୍କା ପ୍ରୟାସ୍’ର ଉଚ୍ଛ୍ୱାସ ଆଜି ଭାରତର ସୌରଶକ୍ତି ଅଭିଯାନକୁ ଅଗ୍ରସର କରାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଲେ ଯେ, ଦେଶର ଅଳ୍ପ କେତେକ ପ୍ରାନ୍ତରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । ତେଣୁ, ଲୋକେ ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେଇ ସାବଧାନ ରହିବା ଉଚିତ ।

Leave A Reply

Your email address will not be published.

four × five =