ଗଞ୍ଜାମକୁ ୨୦୦୦ କୋଟି ଟଙ୍କାର ଭେଟି

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ୩ଟି ବ୍ଲକ ଗସ୍ତ କରି ୨୦୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନୂତନ ଉନ୍ନୟନ ମୂଳକ ପ୍ରକଳ୍ପ ହିଞ୍ଜିଳି ଓ ଗଞ୍ଜାମର ବିକାଶରେ ଏକ ନୂତନ ଅଧ୍ୟାୟ ହେବ । ମା ମାନେ ଉଦ୍ୟୋଗୀ ହେଲେ ଦେଶ ଓ ସମାଜର ଉନ୍ନତି ହେବ । ତେଣୁ ମିଶନ ଶକ୍ତି ମା ମାନଙ୍କୁ ଏସଏଚଜି ରୁ ଏସଏମଇ ହେବାକୁ ପଡ଼ିବ । ଏହା ସହିତ ୫-ଟି ରୂପାନ୍ତରିତ ବିଦ୍ୟାଳୟ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ । କବିସୂର୍ଯ୍ୟ ନଗରଠାରେ ଆୟୋଜିତ ଏକ ବିଶାଳ ଜନସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଞ୍ଜାମକୁ ଦେଶର ଏକନମ୍ବର ଜିଲ୍ଲା କରିବାକୁ ଉଦ୍ୟମ ହେବ । ଏଥିଲାଗି ସମସ୍ତଙ୍କ ସହଯୋଗ ସେ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା’ମାନଙ୍କର ଉନ୍ନତିରେ ଦେଶର ଉନ୍ନତି ହେବ । ମା’ମାନେ ଉଦ୍ୟୋଗୀ ହୁଅନ୍ତୁ, ଏହା ସେ ଚାହାନ୍ତି । ବିନା ସୁଧରେ ଏସଏଚଜି ମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲାର ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୨୮୦ କୋଟି ଟଙ୍କା ଋଣ ପ୍ରଦାନ କରାଗଲା ବୋଲି ଘୋଷଣା କରିଛନ୍ତି । ସେହିପରି ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ୧୯୫୨.୮୯ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଥିବା ବେଳେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ଘରଡିହ ପଟ୍ଟା ବଣ୍ଟନ କରିଥିଲେ । ସେହିପରି ଛତ୍ରପୁର ସହରର ବିକାଶ ପାଇଁ ୧ ହଜାର କୋଟି ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ଚାଷୀମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଋଣ ବିନା ସୁଧରେ ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଏବଂ ୫-ଟିରେ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ତାଙ୍କ ସରକାରର ଦୁଇଟି ମାଇଲଖୁଣ୍ଟ । ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ବର୍ତମାନ ସୁଦ୍ଧା ରାଜ୍ୟର ୫୦ ହଜାରରୁ ଉର୍ଧ ମାଗଣାରେ ଚିକିତ୍ସା ସୁବିଧା ପାଇଥିଲା ବେଳେ ଏଥିଲାଗି ସରକାର ୧୯୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ସେହିପରି ୫-ଟି ୪୭୧ଟି ହାଇସ୍କୁଲ ରୂପାନ୍ତର ହୋଇଥିବା ବେଳେ ଅବଶିଷ୍ଟ ହାଇସ୍କୁଲକୁ ଆସନ୍ତା ଡିସେମ୍ବର ସୁଦ୍ଧା ରୂପାନ୍ତର କରାଯିବ । ମୁଁ ସବୁବେଳେ କାମ କରି ଆସିଛି ଏବଂ ଭବିଷ୍ୟତରେ ମଧ୍ୟ ·ଲିବି ମଧ୍ୟ । ଏଥିପାଇଁ ସେ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ । ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ୩ଟି ସଭା ସ୍ଥାନରେ ହଜାର ହଜାର ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।
ଆଜି ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ସ୍ଥିତ ମେଘମାଳ ପଡ଼ିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଯୋଗଦେଇ ଧରାକୋଟ, ଦିଗପହଣ୍ଡି, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି, ସାନଖେମୁଣ୍ଡି ଓ ଶେରଗଡ଼ ବ୍ଳକ ଏବଂ ଦିଗପହଣ୍ଡି ଏନଏସି ଓ ହିଞ୍ଜିଳିକାଟୁ ପୌର ପରିଷଦରେ ୧୦୯କୋଟି ୨୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୦୯ଟି ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଏହାସହିତ ୪୬୭କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୦୧ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ବ୍ଳକ ଗୁଡ଼ିକର ଯୋଗ୍ୟ ହିତାଧିକାରୀଙ୍କୁ ସମୁଦାୟ ୪୬୮୮ଟି ଗ୍ରାମକଣ୍ଠ ଘରଡିହ ପଟ୍ଟା ବଣ୍ଟନ କରିଥିଲେ । ଏହାସହିତ ମୋଟ ୬୧୧୪ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫୪କୋଟି ୮୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ । ଏହି ସଭାରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୫-ଟି ସଚିବ ଭି କେ ପଣ୍ଡିଆନ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସପି ଜଗମୋହନ ମୀନା, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ, ଅତିରିକ୍ତ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର ଓ ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ସମେତ ସମସ୍ତ ବ୍ଳକର ପଞ୍ଚାୟତ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 + fifteen =