ଯୋଡ଼ା : ଯୋଡ଼ା ବ୍ଲକ୍ ଅନ୍ତର୍ଗତ ଜିଲିଙ୍ଗସ୍ଥ ଓଡ଼ିଶା ଖଣି ନିଗମ (ଓଏମସି) ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଗ୍ରୀନ ଗାଲା -୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଏମସି ବଡ଼ବିଲ କ୍ଷେତ୍ରର ଆଞ୍ଚଳିକ ଅଧିକାରୀ ଅବନୀକାନ୍ତ ପ୍ରଧାନ ମୁଖ୍ୟଅତିଥି ଓ ଜିଲିଙ୍ଗ ଲାଙ୍ଗଲୋଟା ମାଇନ୍ସର ମୁଖ୍ୟ ପରିଚାଳକ ତଥା ଏହି କ୍ଷେତ୍ରର ଡେପୁଟି ଜେନେରାଲ ମ୍ୟାନେଜର ଚିନ୍ମୟ କୁମାର ପରିଡ଼ା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ସୌମେନ୍ଦ୍ର ନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନେ ପ୍ରତିପାଦନ କରିଥିବା ଉତ୍କର୍ଷତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଏହି ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ଉନ୍ନତି ତଥା ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଏମସି ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ପରିଡ଼ା ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତାର ଆବଶ୍ୟକତା ତଥା ବାର୍ଷିକ ପୁରସ୍କାର ବିତରଣ ଉତ୍ସବର ଅପରିହାର୍ଯ୍ୟତା ସମ୍ପର୍କରେ ବକ୍ତୃତା ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶତାଧିକ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅବିସ୍ମିତା ସ୍ଵାଇଁଙ୍କୁ ବିଦ୍ୟାଳୟର ‘ଷ୍ଟୁଡ଼େଣ୍ଟ୍ସ ଅଫ୍ ଇଅର’ ଭାବରେ ଘୋଷଣା କରାଯାଇଥିଲା । ପୁରସ୍କାର ବିତରଣ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଭୁକଲ୍ୟାଣ, ଦୀପକ, ସ୍ଵସ୍ତିକ୍, କ୍ରୀଷ୍ଣା, ଆଶୁତୋଷ, ପ୍ରିୟଦର୍ଶିନୀ, ଧରିତ୍ରୀ, ଅଦିତି, ପ୍ରିୟାଲି, ଦିବ୍ୟାଂଶୀ, ସାଇଲଗ୍ନା ଆଦି ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗମଞ୍ଚ ପରିଚାଳିତ ହୋଇଥିଲା ।