ଗୁଜରାଣ ମେଣ୍ଟାଉଛି ଗ୍ରାମ ଦେବାଦେବୀଙ୍କ ଆଭୂଷଣ ବ୍ୟବସାୟ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ ପାରମ୍ପରିକ ପୂଜା ପାଇ ଆସୁଥିବା ଦେବା ଦେବୀଙ୍କ ଆଭୂଷଣ ଓ ଅଳଂକାର ବ୍ୟବସାୟ କରି ନିଜ  ଗୁଜରାଣ ମେଣ୍ଟାଉଛନ୍ତି ମାରିଗାଁର ସୁବାଷ ବଞ୍ଜାରା l ହାଟଭରଣ୍ଡି ପଂଚାୟତ ଅନ୍ତର୍ଗତ ମାରିଗାଁର ଧନସିଂ ବଞ୍ଜାରାଙ୍କ ପୁଅ ନିଜ ବାପାଙ୍କ ଅମଳରୁ ଏହିି ବ୍ୟବସାୟକୁ ସମ୍ଭାଳି ଆସୁଥିବା ଦେଖିବାକୁ ମିଳିଛି |       ସୂଚନା ଅନୁଯାୟୀ ସ୍ଥାନୀୟ ଅଂଚଳରେ ଚାଷ ସମୟର ଚାରି ମାସକୁ ଛାଡ଼ି ଦେଲେ ଆଦିବାସୀଙ୍କ ପର୍ବ ପର୍ବାଣି ଓ ଯାନିଯାତ୍ରାରେ ଆଂଚଳିକ ଦେବା ଦେବୀଙ୍କ ପୂଜାର୍ଚ୍ଚନା ହୋଇଥାଏ | ପ୍ରତ୍ୟେକ ବର୍ଷର ମାଘ ମାସ ରୁ ଆରମ୍ଭ ହୋଇ ଚୈତ୍ର ମାସ ପର୍ଯ୍ୟନ୍ତ ଗାଁ ଯାତ୍ରା ମଣ୍ଡେଇ ପର୍ବ ପାଳନ ହୋଇଥାଏ | ଏହି ଅବସରରେ ବିଭିନ୍ନ ଅଂଚଳରୁ ଦେବା ଦେବୀ ଏକାଠି ହୋଇଥାଆନ୍ତି l ଦେବାଦେବୀଙ୍କ ଲାଠି ଓ ବିମାନ ସହିତ ପୂଜକ ଓ ବାଜା ମହୂରୀ ନେଇ ଉକ୍ତ ମଣ୍ଡେଇ ଯାତ୍ରାରେ ପହଞ୍ଚିଥାନ୍ତି l ଅପରପକ୍ଷରେ ସେମାନଙ୍କ ଲାଠି, ବିମାନ , ମୁକୁଟ ଏବଂ ପୋଷାକ ଗୁଡିକରେ ବିଭିନ୍ନ ସୁସଜ୍ଜିତ ସରଞ୍ଜାମ ଲାଗିଥାଏ ଏବଂ ସେଗୁଡ଼ିକ ମୂଖ୍ୟତଃ କଉଡ଼ି , କଂସା , ବାଉଁଶ, ଋପା ଆଦି ଜିନିଷରେ ନିର୍ମିତ ହୋଇଥାଏ | ଏହି ସରଞ୍ଜାମ ଗୁଡ଼ିକ ପାରମ୍ପରିକ ବ୍ୟବସାୟ ଭାବେ କିଛି ବଞ୍ଜାରା ସମ୍ପ୍ରଦାୟର ଲୋକେ ଆରମ୍ଭ କରିଥିବା ବେଳେ ବିଶେଷ ଲାଭ ନଥିବା ଯୋଗୁଁ ଏହି ବ୍ୟବସାୟରୁ ବହୁ ଲୋକ ମୁହଁ ମୋଡ଼ି ସାରିଲେଣି l କିନ୍ତୁ ସୁବାଷ ବଞ୍ଜାରା ଏହିି ବ୍ୟବସାୟକୁ ନିଜର ରୋଜଗାରର ମାଧ୍ୟମ କରିଛନ୍ତି | ଧଡ଼୍ରାସିମୋଡ଼ା ଗ୍ରାମର କିଛି ଲୋକେ ଏହିି ଅଳଂକାର ଓ ଆଭୂଷଣ ତିଆରି କରିବା ସହିତ ଦେବା ଦେବୀଙ୍କ ବସ୍ତ୍ର ତିଆରି କରି ସୁବାଷଙ୍କୁ ଯୋଗାଇ ଦେଇଥାନ୍ତି l ଏଥିସହିତ  କଂସା ନିର୍ମିତ ସରଞ୍ଜାମ ଗୁଡ଼ିକ ମଧ୍ୟ ଛତିଶଗଡ଼ରୁ ଆଣି ସେ ବ୍ୟବସାୟ କରୁଛନ୍ତି |  ଅନ୍ୟପଟେ ଆଧୁନିକ ଯୁଗରେ ଏହାର ଚାହିଦା ନଥିବା ସତ୍ବେ ଦେବାଦେବୀଙ୍କ କାମରେ ଆସୁଥିବା ଏହିି ବ୍ୟବସାୟକୁ ସେ ଭକ୍ତି ଭାବର ସହିତ କରିଆସୁଥିବା ପ୍ରକାଶ କରିଛନ୍ତି | ସ୍ଥାନୀୟ ଅଂଚଳର ରାଇଘର , ମୁଣ୍ଡିବେଡା , ଗୋନା , କୁନ୍ଦେଇ ,ହାଟଭରଣ୍ଡି  ଓ ଜୋଡିଙ୍ଗା ଠାରେ ହେଉଥିବା ସାପ୍ତାହିକ ହାଟ ଗୁଡ଼ିକରେ ଏହି ସରଞ୍ଜାମ ଗୁଡ଼ିକକୁ ନେଇ ସୁବାଷ ବ୍ୟବସାୟ କରିବାକୁ ଯାଇଥାଆନ୍ତି l ଅପରପକ୍ଷରେ ପୂଜକ ଓ ଗ୍ରାମ ମୁଖିଆ ମାନେ ମଧ୍ୟ ଆବଶ୍ୟକ ସ୍ଥଳେ ଆଗୁଆ ଜିନିଷ ଅର୍ଡର କରିଥାନ୍ତି | ଧିରେ ଧିରେ ଯୁଗ ପରିବର୍ତ୍ତନ ହୋଇ ଆସୁଛି l ଆଗକୁ ଦେବାଦେବୀଙ୍କ କାମରେ ବ୍ୟବହାର ହେଉଥିବା ଏହି ଆଭୂଷଣ ଓ ସରଞ୍ଜାମରେ ଯଦି ପରିବର୍ତ୍ତନ ହୁଏ ତା ହେଲେ ଏହିି ବ୍ୟବସାୟ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ | 

Leave A Reply

Your email address will not be published.

20 − eleven =