ଅନାଥ ଆଶ୍ରମରୁ ଛୁଆ ଉଭାନ , ନିରାଶ ହୋଇ ଫେରିଲେ ପରିବାର ଲୋକେ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡ ବନେଇକଳା ବସ୍ତିର ବାପା ମା ଛେଉଣ୍ଡ ୪ ବର୍ଷର  ଝିଅ ସୁନିତା ମୁଣ୍ଡା ଆନନ୍ଦପୁର ସ୍ଥିତ ଅନାଥ ଆଶ୍ରମରୁ ଉଭାନ ହେବା ସମସ୍ତଙ୍କୁ ଚକିତ କରିଛି । ଖବରରୁ ପ୍ରକାଶ ବନେଇକଳା ବସ୍ତିର ରାଜେନ ମୁଣ୍ଡା ଓ ମଞ୍ଜୁ ମୁଣ୍ଡାଙ୍କ ଝିଅ ସୁନିତା । କୌଣସି କାରଣ ବସତ ପ୍ରଥମେ ରାଜେନ ମୁଣ୍ଡାଙ୍କ ଦେହାନ୍ତ ହୋଇଯାଇଥିବା ବେଳେ କରୋନାରେ ତାଙ୍କ ସ୍ତ୍ରୀ ମଞ୍ଜୁ ମୁଣ୍ଡାଙ୍କର ଦେହାନ୍ତ ହୋଇଯାଇଥିଲା । ଫଳରେ କୋମାଲମତି ୪ ବର୍ଷର ଶିଶୁ ସୁନିତା ମୁଣ୍ଡା ଅନାଥ ହୋଇଯାଇଥିଲେ । ସୁନିତା ତାଙ୍କ ଦାଦା ଓ ଖୁଡିଙ୍କ ନିକଟରେ ରହୁଥିଲେ । ପରବର୍ତ୍ତୀ ସମୟରେ ଅଙ୍ଗନବାଡି କର୍ମୀ ଶିଶୁଟି ଅନାଥ ଥିବା ଖବର ପୌରାଞ୍ଚଳର ଶିଶୁ ସୁରକ୍ଷା ଅଧିକାରିଣୀ ମାନସୀ ବେହେରାଙ୍କୁ ଅବଗତ କରାଇଥିଲେ । ମାନସୀ ବେହେରା ଏ ସମ୍ପର୍କରେ କେନ୍ଦୁଝର  ଶିଶୁ ସୁରକ୍ଷା ସମିତିକୁ ଚିଠି ମାଧ୍ୟମରେ ଜଣାଇଥିଲେ । ସରକାରଙ୍କ ଆଶ୍ରିବାଦ ଯୋଜନା ମାଧ୍ୟମରେ  ଗତ ୨୨/୦୩/୨୨ ରିଖ ଦିନ ଶିଶୁ ସୁରକ୍ଷା ଅଧିକାରିଣୀ ହିମାଦ୍ରୀ ନାଏକ ଯୋଡ଼ାରେ ପହଂଚି ସୁନିତାଙ୍କୁ କେନ୍ଦୁଝର ସ୍ଥିତ ଅନାଥ ଆଶ୍ରମକୁ ନେଇଥିଲେ । ପରବର୍ତ୍ତୀ ସମୟରେ ସୁନିତାଙ୍କୁ ଆନନ୍ଦପୁର ସ୍ଥିତ ଅନାଥ ଆଶ୍ରମକୁ ସ୍ଥାନାନ୍ତର କରାଯାଇଥିଲା । କିଛିଦିନ ପୂର୍ବେ ସୁନିତାର କକା ସମା ମୁଣ୍ଡା ଓ ଖୁଡି ମିନି ମୁଣ୍ଡା ଆନନ୍ଦପୁର ଯାଇ ଝିଆରୀକୁ ଦେଖାକରି ଆସିଥିଲେ । କିଛିଦିନ ବ୍ୟବଧାନ ପରେ କକା ସମା ଓ ଖୁଡି ମିନି ଦୁହେଁ ଗତକାଲି ମଙ୍ଗଳବାର ସୁନିତାଙ୍କୁ ଦେଖା କରିବାକୁ ଯାଇଥିଲେ କିନ୍ତୁ ସେଠାକାର କର୍ମଚାରୀ ମାନେ ଦୁହିଁଙ୍କୁ ଦୁର୍ବ୍ୟବହାର କରିବା ସହିତ ସୁନିତା ସହିତ ଦେଖା ହୋଇପାରିବ ନାହିଁ ବୋଲି କହିଥିଲେ । ଏମାନେ ଜିଦ୍ଦି କରିବାରୁ ଶେଷରେ ସତ କଥା ବାହାରକୁ ଆସିଥିଲା । ତମ ଝିଆରୀ ସୁନିତାକୁ ବମ୍ବେ ପଠେଇ ଦିଆଯାଇଛି ବୋଲି କହିଥିଲେ । ନିରାଶ ହୋଇ ସେଠାରୁ ଫେରିବା ପରେ ଆଜି ସକାଳୁ ସୁନିତାର କକା , ଖୁଡି ଓ ଗ୍ରାମବାସୀ ଏକତ୍ରିତ ହୋଇ ଶିଶୁ ସୁରକ୍ଷା ଅଧିକାରିଣୀ ମାନସୀ ବେହେରାଙ୍କୁ ଭେଟି ଦୁଃଖ ଜଣାଇବା ପରେ ସେ ସଂଗେ ସଂଗେ ଏ ସମ୍ପର୍କରେ ଫୋନ ମାଧ୍ୟମରେ ଯୋଗାଯୋଗ କରି ସୁନିତାଙ୍କୁ ପୋଷ୍ୟ କନ୍ୟା ଭାବେ  ବମ୍ବେ  ପଠାଇ ଦିଆଯାଇଥିବା ଜାଣିବାକୁ ପାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ସୁନିତାଙ୍କୁ ଫେରେଇ ଆଣିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶିଶୁ ସୁରକ୍ଷା ଅଧିକାରିଣୀ ମାନସୀ ବେହେରା ପ୍ରତିଶୃତି ଦେଇଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଅନାଥ ଆଶ୍ରମର ଅଧିକାରୀ ମାନେ କିଭଳି ଓ କେଉଁ ପରିସ୍ଥିତିରେ କାହାକୁ କିଛି ନଜଣାଇ ଏଭଳି କାର୍ଯ୍ୟ କରି ପାରୁଛନ୍ତି ତାହା ନିଶ୍ଚିତ ତଦନ୍ତ ସାପେକ୍ଷ ।

Leave A Reply

Your email address will not be published.

one × 3 =