ଭୁବନେଶ୍ୱର : ଦେଶର ୩୦ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ତାଙ୍କର ମୋଟ ୬୩ କୋଟି ୮୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି ବୋଲି ଏଡିଆର୍ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରର ଜଗନ ମୋହନ ରେଡ୍ଡି । ତାଙ୍କର ମୋଟ ସଂପତ୍ତି ମୂଲ୍ୟ ୫୧୦ କୋଟି ୩୮ ଲକ୍ଷ ଟଙ୍କା । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ । ତାଙ୍କର ସଂପତ୍ତି ମୂଲ୍ୟ ୧୬୩ କୋଟି ୫୦ ଲକ୍ଷ ଟଙ୍କା । ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ । ତାଙ୍କର ମୋଟ ସଂପତ୍ତି ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ସେହିଭଳି କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତ୍ତି ଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ହୋଇଛି । ଦେଶର ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ କୋଟିପତି । ନବୀନ ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯାହାଙ୍କ ନାମରେ କୌଣସି ଅପରାଧିକ ମାମଲା ନାହିଁ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ସାରା ଦେଶରେ ନବୀନ ସ୍ୱଚ୍ଛ ଓ ନିର୍ମଳ ଶାସନ ପାଇଁ ପରିଚିତ । ଶୂନ୍ୟ ସହନଶୀଳତାକୁ ସବୁଠି ଗୁରୁତ୍ୱ ଦିଅନ୍ତି । ନିଜ ଦଳ ନେତାଙ୍କୁ ମଧ୍ୟ ଛାଡନ୍ତି ନାହିଁ । ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନାଁରେ ସର୍ବାଧିକ ମାମଲା ରହିଛି । କେସିଆରଙ୍କ ନାଁରେ ସର୍ବାଧିକ ୬୪ଟି କେସ୍ ଥିବା ଏଡିଆର୍ ରିପୋର୍ଟରେ ଦର୍ଶାଯାଇଛି ।