ଅନୁସୂଚିତ ଜାତିର ମତ୍ସ୍ୟଚାଷୀଙ୍କୁ ସିଫାରେ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ତରଫରୁ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାର ଅନୁସୂଚିତ ଜାତିର ମତ୍ସ୍ୟଚାଷୀଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଡିଏସଟି ପ୍ରକଳ୍ପ ଅଧିନରେ ଓ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ୫୦ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ । ଅନୁସୂଚିତ ଜାତିର କୃଷକମାନଙ୍କର ରୋଜଗାର ବୃଦ୍ଧି ଓ ସେମାନଙ୍କୁ ମତ୍ସ୍ୟଚାଷ ସମ୍ବନ୍ଧରେ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତି ସମ୍ବନ୍ଧରେ ଅବଗତ କରାଇବା ନିମନ୍ତେ ଉଭୟ ଜିଲ୍ଲାର ବିଭିନ୍ନ ବ୍ଲକର ବଚ୍ଛା ବଚ୍ଛା କୃଷକଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଅଭିଜ୍ଞ ବୈଜ୍ଞାନିକମାନେ ସମନ୍ୱିତ ମାଛ ଚାଷ, ମାଛ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ, ମୃତିକା ଓ ଜଳ ଗୁଣ ପରିଚାଳନା, ମତ୍ସ୍ୟ ବୀଜ ଉତ୍ପାଦନ, ରଂଗୀନ ମାଛଚାଷ, ମଧୁରଜଳ ମାଛର ସ୍ୱାସ୍ଥ୍ୟ ପରିଚାଳନା ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏହାସହିତ କୃଷକମାନେ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ନିୟମିତ ଓ ଆପତକାଳୀନ ସମସ୍ୟାର ସମାଧାନ କିପରି ନିଜେ କରୁଛନ୍ତି ଓ ସେମାନଙ୍କର ଅନୁଭୁତିକୁ ସହପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକଙ୍କ ନିକଟରେ ଉପସ୍ଥାପନ କରିଥିଲେ । ବୈଜ୍ଞାନିକ ଓ ବୈଷୟିକ ଅଧିକାରୀମାନେ ତାର ନିରାକରଣର ନୂତନ ବୈଜ୍ଞାନିକ ଉପାୟଗୁଡ଼ିକ ସଂପର୍କରେ ଅବଗତ କରାଇଥିଲେ । ଶେଷ ଦିବସରେ ପ୍ରଶିକ୍ଷାର୍ଥୀମାନେ ସିଫାର ଜୟନ୍ତୀ ରୋହି ୟୁନିଟ୍, ଟିଲାପିଆ ଓ କାର୍ପ ୟୁନିଟ୍, ବାୟୋଫ୍ଲକ୍ ୟୁନିଟ୍, ମଧୁରଜଳ ଚିଙ୍ଗୁଡ଼ି ୟୁନିଟ୍, ଶେଉଳ ଓ କଉ ମାଛ ୟୁନିଟ୍ ଏବଂ ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ର ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମକୁ ସିଫାର ଏକ୍ସପର୍ଟ ଟିମ୍ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

11 − two =