୯ ତାରିଖରେ ଆସୁଛି ବାତ୍ୟା!

ଓଡ଼ିଶା ପାଇଁ ସତର୍କ ସୂଚନା ନାହିଁ

ନୂଆଦିଲ୍ଲୀ : ଆସନ୍ତା ୯ ତାରିଖରେ ଏକ ବାତ୍ୟା ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ । ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତ ରୂପ ନେବ । ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ । ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ହୋଇ ନାହିଁ । ବାତ୍ୟାଟି କୁଆଡେ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇ ନାହିଁ । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ । ବର୍ତ୍ତମାନ ଓଡିଶା ପାଇଁ କିଛି ସତର୍କ ସୂଚନା ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି । ଓଡିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇ ନାହିଁ । ଓଡିଶା ପାଇଁ ସତର୍କ ସୂଚନା ନଥିବା ବେଳେ ଲୋକେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି । ତେବେ ୭ରୁ ସମୁଦ୍ର ଅଶାନ୍ତ ରହିବ । ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି, ସେମାନେ ୭ ସୁଦ୍ଧା ଚାଲି ଆସିବା ଉଚିତ୍ । ବିଭିନ୍ନ ପାଣିପାଗ ମଡେଲ ଓ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ମେ’ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ପାଇଁ ପାଗ ଅନୁକୂଳ ରହିଥାଏ । ଗତ ୪/୫ ବର୍ଷ ହେଲା ଗ୍ରୀଷ୍ମ ସମୟରେ ବାତ୍ୟା ଦେଖାଯାଉଛି । ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ସାଇକ୍ଲୋ ଜେନେସିସ୍ ବା ଅବପାତ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି । ପରବର୍ତ୍ତୀ ସମୟରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ପଶ୍ଚିମବଙ୍ଗ, ବାଂଲାଦେଶ ଓ ମ୍ୟାମାଁର ଅଭିମୁଖେ ଅଗ୍ରସର ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ଆଉ କେତେକ ମଡେଲ ଆକଳନ କରିଛନ୍ତି ଯେ ବାତ୍ୟା ମେ ୯ରୁ ୧୧ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ମେ’ ୧୧ରୁ ୧୫ ମଧ୍ୟରେ ବାଂଲାଦେଶ ଉପକୂଳରେ ମାଡ଼ ହୋଇପାରେ ଏବଂ ଏହି ସମୟରେ ପବନର ବେଗ ୧୫୦ରୁ ୧୮୦ କିମି ରହିପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ବିଭିନ୍ନ ମଡେଲ ଅନୁମାନ ପରେ କହିଛନ୍ତି ଯେ, ଆସନ୍ତା ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୯ ତାରିଖରେ ଏହା ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟା ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ବିଷୟରେ ଜଣାପଡ଼ିବ । ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ଯଦି ବାତ୍ୟା ସୃଷ୍ଟି ହୁଏ ଏହାର ନାମ ‘ମୋଖ’ ରହିବ । ୟେମେନ ଏହାର ନାମକରଣ କରିଥିବା ଜଣାପଡ଼ିଛି । ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଭିନ୍ନ ମଡେଲକୁ ନେଇ ଆଇଏମଡି ପାଣିପାଗର ପୂର୍ବାନୁମାନ କରିଛି ତେବେ ଅତୀତରେ ଆଇଏମଡିର ପୂର୍ବାନୁମାନ ସର୍ବଦା ସଠିକ୍ ହୋଇ ଆସିଛି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତି ଓ ତୀବ୍ରତା ନେଇ ସ୍ପଷ୍ଟ ଆକଳନ କରାଯିବ । ଏବେ କୌଣସି ଆକଳନ ହୋଇନାହିଁ ଏହା ଭାରତୀୟ ଉପକୂଳରେ ମାଡ଼ ହେବ କି ନାହିଁ ତାହା ମଧ୍ୟ ଆକଳନ ହୋଇନାହିଁ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସମୁଦ୍ର ଅଶାନ୍ତ ରହିବ । ତେବେ ସମୁଦ୍ରରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରୀଷ୍ମ ଋତୁର ଗତି ଜଟିଳ ହୋଇଥିବାରୁ ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ ସେ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ । ୨୦୧୯ରେ ଫଣି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଆମ ପାଇଁ ସବୁ ଜୀବନ ମୂଲ୍ୟବାନ । ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡ଼ିବ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ସେବା ଆଦି ଆଗୁଆ ରହିବାକୁ ସେ ପରାମର୍ଶ ଦେବା ସହିତ ଆବଶ୍ୟକ ସହିତ ଉପକୂଳ ଓ ତଳୁଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ସବୁ ଅତ୍ୟାବଶ୍ୟକ ମେସିନ୍ ଓ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବାକୁ ସେ କହିଥିଲେ । ବାତ୍ୟା ପରେ ମଧ୍ୟ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ବାତ୍ୟା ସଂପର୍କରେ ନିୟମିତ ସମୀକ୍ଷା କରିବା ସହିତ ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖି ସମସ୍ତ ବିଭାଗ ସହିତ ସମନ୍ୱୟ ରଖି କାମ କରିବାକୁ ସେ ନିର୍ଦେଶ ଦେଇଥିଲେ ।

Leave A Reply

Your email address will not be published.

twelve − seven =