କଟକ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ । କଟକର ଜୁଡିସିଆଲ ଏକାଡେମୀରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଜାତୀୟ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଡକ୍ଟର ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଏହା କହିଛନ୍ତି । ଆଧୁନିକ ସୂଚନା ଓ ପ୍ରଯୁକ୍ତିବିଦ୍ୟା କିଭଳି ଦୂରଦୂରାନ୍ତରେ ଥିବା ସାଧାରଣ ଲୋକଙ୍କୁ ନ୍ୟାୟପ୍ରଦାନ କରିବାରେ ସହାୟକ ହୋଇଛି ସେ ସମ୍ପର୍କରେ ସେ ବିସ୍ତୃତ ମତ ବ୍ୟକ୍ତ କରିଛନ୍ତି । ‘ଡିଜିଟାଇଜେସନ, ପେପରଲେସ୍ କୋର୍ଟସ୍ ଏବଂ ଇ-ଇନିସିଏଟିଭ୍’ ଶୀର୍ଷକ ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଢ଼ କହିଛନ୍ତି, ଆଜିଦିନରେ ଭର୍ଚୁଆଲ ମାଧ୍ୟମରେ ଆମେ ସମସ୍ତଙ୍କ ଦ୍ୱାର ଦେଶରେ ନ୍ୟାୟ ପହଞ୍ଚାଯାଇ ପାରିବା । ଆଇନଜୀବୀମାନେ ଟେକ୍ନୋଲୋଜି ଜରିଆରେ ହାଇକୋର୍ଟର ମାମଲା ଭର୍ଚୁଆଲ କୋର୍ଟ ଜରିଆରେ ପରିଚାଳନା କରିପାରିବେ । ଓଡ଼ିଶାର ୨୦ଟି ଜିଲ୍ଲାକୁ ହାଇକୋର୍ଟ ସହ ଭର୍ଚୁଆଲ ମାଧ୍ୟମରେ ଯୋଡ଼ା ଯାଇପାରିଥିବା ଶୁଣି ସେ ବେଶ୍ ଆନନ୍ଦିତ ବୋଲି କହିଥିଲେ । ଏହାକୁ ସବୁ ଜିଲ୍ଲା ସହ ସଂଯୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ହାଇକୋର୍ଟ ବେଞ୍ଚ କେବଳ ମହାନଗରୀରେ ସୀମିତ ନ ରହି ଭର୍ଚୁଆଲ କୋର୍ଟ ଓ ଟେକ୍ନୋଲୋଜି ଜରିଆରେ ଏହା ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ସହ ଯୋଡ଼ି ହେବା ଉପରେ ପ୍ରଧାନ ବିଚାରପତି ଗୁରୁତ୍ୱାରୋପ କରିଛନ୍ତି । ପ୍ରଯୁକ୍ତିବିଦ୍ୟା ଏଭଳି ଏକ ଜ୍ଞାନକୌଶଳ ରୂପେ ଆମକୁ ସହାୟକ ହୋଇଛି ଯାହାର ସୂଦୁର ପ୍ରସାରୀ ପ୍ରଭାବ ରହିଛି ।