ତାମିଲନାଡୁରେ ଓଡ଼ିଆ ଦାଦନର ମୃତ୍ୟୁ ଘଟଣା

* ଘରକୁ ଆସି ପାରିଲାନି ମୃତଦେହ

 * ପୁଅର ଶେଷ ଦର୍ଶନ କରି ପାରିଲେନି ବାପା ଓ ମାଁ  

ରାଇଘର :  ପରିବାରରେ ଆର୍ଥିକ ସ୍ଥିତି ଖରାପ ଥିବା ଯୋଗୁଁ ମୋ ପୁଅ ୭ ମାସ ପୂର୍ବେ ତାମିଲନାଡୁ କାମ କରିବାକୁ ଯାଇଥିଲା | ତେବେ ସେ ଆଉ ଫେରିବ ନାହିଁ ବୋଲି ଆମେ ଜାଣି ପାରିନଥିଲୁ l ଶେଷରେ ତାର ମୁହଁ ବି ଆମେ ଦେଖି ପାରିଲୁନାହିଁ l ପୁଅକୁ ହରାଇ ଏଭଳି କୋହ ଭରା କଣ୍ଠରେ ବାପା ଓ ମାଁ ପ୍ରକାଶ କରିଛନ୍ତି | ୭ ମାସ ପୂର୍ବେ ତାମିଲନାଡୁ ଅନ୍ତର୍ଗତ ମଦୁରାଇରେ ଏକ ବୋର ଗାଡ଼ିରେ କାମ କରିବାକୁ ଯାଇଥିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କାଉଡୋଲା ପଂଚାୟତର ରାବଣାଗୁଡ଼ା ଗ୍ରାମର ମାନ ଗଣ୍ଡଙ୍କ ପୁଅ ରାଧେ ଗଣ୍ଡଙ୍କ ଗତ ୨ ତାରିଖ ଦିନ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୃତଦେହ ଘରକୁ ଫେରି ପାରିନଥିଲା | ୭ ମାସ ପୂର୍ବେ ଘରୁ ବାହାରି ଯାଇଥିବା ସାନ ପୁଅର ଶେଷ ଦର୍ଶନ କରିନପାରି ଏବେ ଦୁଃଖରେ ମ୍ରିୟମାଣ ହୋଇ ରହିଛନ୍ତି ବାପା ଓ ମାଁ l ଅପରପକ୍ଷରେ ରାଧେଙ୍କ ମରଶରୀରକୁ ଆଣିବା ପାଇଁ ତାଙ୍କ ଭାଈ ସିତଲ ଗଣ୍ଡଙ୍କ ସମେତ ୭ ଜଣ ଗ୍ରାମବାସୀ ତାମିଲନାଡୁର ମଦୁରାଇକୁ ଯାଇଥିଲେ l କିନ୍ତୁ ମର ଶରୀରକୁ ଓଡ଼ିଶା ନେବାକୁ ସେଠାରେ ଆମ୍ବୁଲାନ୍ସ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିବା ଫଳରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡିଥିଲା l ଶେଷରେ ଶବ ଆଉ ଘରକୁ ଆଣି ନପାରି ମଦୁରାଇ ରେ ହିଁ ଗତକାଲି ତାଙ୍କର ଶେଷ କୃତ୍ଯ ସମ୍ପନ୍ନ କରାଯାଇଥିଲା | ପ୍ରକାଶ ଥାଉକି ଗତ ପ୍ରାୟ ୭ ମାସ ହେବ ରାଧେ ଗଣ୍ଡ ଦାଦନ ଖଟିବାକୁ ତାମିଲନାଡୁର ମଦୁରାଇକୁ ଯାଇ ସେଠାରେ ସେ ଏକ ବୋର ଗାଡ଼ିରେ କାମ କରୁଥିଲେ | ୨ ତାରିଖ ରାତିରେ ଖାଈସାରି ନିଜ କ୍ୟାମ୍ପରୁ ବାହାରି ଯାଇଥିବା ବେଳେ ତା ପରଦିନ ସକାଳୁ ଉକ୍ତ କ୍ୟାମ୍ପ ଠାରୁ ପ୍ରାୟ ଗୋଟାଏ କିଲୋମିଟର ଦୂରରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା | ଏ ନେଇ ତା ପରଦିନ ପରିବାର ଲୋକଙ୍କୁ ଖବର ଦେବା ପରେ  ରାଧେ ଗଣ୍ଡଙ୍କ ମରଶରୀରକୁ ଆଣିବାକୁ ଗ୍ରାମବାସୀଙ୍କ ସହିତ ତାଙ୍କ ଭାଈ ମଦୁରାଇ ଯାଇଥିଲେ | 

Leave A Reply

Your email address will not be published.

19 − sixteen =