୬ ମହଲା ବିଶିଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

କେନ୍ଦୁଝର ଜିଲ୍ଲା : ଯୋଡ଼ା ପୌରପାଳିକା ଅନ୍ତର୍ଗତ କୁମାରଯୋଡ଼ାଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ୬ ମହଲା ବିଶିଷ୍ଠ ଡାକ୍ତରଖାନା ନିର୍ମାଣ ନିମନ୍ତେ ଆଜି ଅପରାହ୍ନରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ କର କମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଯୋଡ଼ା ପୌରପାଳିକାର ନଗରପାଳ ଜଗଦୀଶ ପ୍ରସାଦ ସାହୁ , ଉପାଧକ୍ଷ୍ୟା ସନ୍ଧ୍ୟା ପାତ୍ର , ଜିଲ୍ଲା ବିଜେଡି ସମ୍ପାଦକ ବାବୁଲାଲ ସାହୁ , ଯୋଡ଼ା ଟ୍ରକ ମାଲିକ ସଂଘର ସମ୍ପାଦକ ତଥା ଯୁବ ବିଜେଡି ସଂଗଠକ ସୁଶାନ୍ତ କୁମାର ବାରିକ ଯୋଗଦେଇଥିବା ଦେଖିବାକୁ ମିଳିଛି । ଏହି ଡାକ୍ତରଖାନା ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଖଣିଜ ପାଣ୍ଠିରୁ   ୨୬ କୋଟି ୩୦ ଲକ୍ଷ ଟଙ୍କା ଅନୁମୋଦନ କରିଥିବା ଜଣାପଡ଼ିଛି । ନିର୍ମାଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ଭୁବନେଶ୍ୱରର ଗୃହ ନିର୍ମାଣକାରୀ ସଂସ୍ଥା ଜଗନ୍ନାଥ ଇଂଫ୍ରା ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦେଶ ଦିଆଯାଇଛି । ଏହି ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଏଠାରେ ସ୍ଥାନୀୟ ଲୋକମାନେ ଉନ୍ନତ ମାନର ଚିକିତ୍ସା ନେଇପାରିବେ । ଆଗାମୀ ଦିନରେ ଉକ୍ତ ଡାକ୍ତରଖାନାରେ ଅତ୍ୟାଧୁନି ଯନ୍ତ୍ରପାତି ସହିତ ଅଭିଜ୍ଞ ଡାକ୍ତର ଓ ଅନ୍ୟାନ୍ୟ ସୁବିଧାମାନ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

4 + ten =