ପ୍ରବୀଣ ସୁଦ ସିବିଆଇ ନିର୍ଦେଶକ

ନୂଆଦିଲ୍ଲୀ : କର୍ଣ୍ଣାଟକର ଡିଜିପି ତଥା ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ପ୍ରବୀଣ ସୁଦ ସିବିଆଇର ନୂଆ ନିର୍ଦେଶକ । ସେ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ । ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭାର ବିରୋଧୀ ଦଳର ନେତାଙ୍କୁ ନେଇ ଗଠିତ କମିଟି ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି । ବର୍ତ୍ତମାନ ସିବିଆଇ ନିର୍ଦେଶକ ଭାବେ କାମ କରୁଥିବା ସୁବୋଧ କୁମାର ଜୈସୱାଲଙ୍କ ୨ ବର୍ଷିଆ କାର୍ଯ୍ୟକାଳ ମେ’ ୨୫ରେ ଶେଷ ହେବ । ଏହାପରେ ପ୍ରବୀଣ ସୁଦ ନୂଆ ସିବିଆଇ ମୁଖ୍ୟ କାର୍ଯ୍ୟ ଆରମ୍ଭ କରିବେ । କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ବୈଠକ ବସିଥିଲା । ଏଥିରେ ୩ ଜଣ ବରିଷ୍ଠ ଆଇପିଏସଙ୍କୁ ତାଲିକା ଭୁକ୍ତ କରାଯାଇଥିଲା । ତାଲିକାରେ ପ୍ରବୀଣ ସୁଦଙ୍କ ବ୍ୟତୀତ ସୁଧୀର ସକ୍ସେନା (ଡିଜିପି ମଧ୍ୟପ୍ରଦେଶ) ଓ ତାଜ ହାସନଙ୍କ ନାଁ ରହିଥିଲା । ଏବେ ପ୍ରବୀଣ ଅନ୍ୟ ଦୁଇ ଅଧିକାରୀଙ୍କୁ ପଛରେ ପକାଇ ସିବିଆଇ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ସେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦୁଇ ବର୍ଷ ଯାଏ ଏହି ପଦରେ ରହିବେ ।
ପ୍ରବୀଣ ହେଉଛନ୍ତି ୧୯୮୬ ଆଇପିଏସ୍ ବ୍ୟାଚର ଷ୍ଟେଟ କ୍ୟାଡର । ମାର୍ଚ୍ଚ ମାସରେ ପ୍ରବୀଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ସହ ସେ କର୍ଣ୍ଣାଟକ ବିଜେପି ସରକାରଙ୍କୁ ଘଣ୍ଟ ଘୋଡ଼ାଉଥିବା କହିଥିଲେ । ଏଥିସହ ପ୍ରବୀଣ କଂଗ୍ରେସ ନେତାଙ୍କ ବିରୋଧରେ ମିଥ୍ୟା କେସ୍ କରୁଥିବାରୁ ତାଙ୍କୁ ଗିରଫ କରାଯାଉ ବୋଲି ଶିବକୁମାର ଦାବି କରିଥିଲେ । ଏସବୁ ଭିତରେ ପ୍ରଧାନମନ୍ତ୍ରୀ, ସିଜେଆଇ ଓ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି ପ୍ରବୀଣଙ୍କୁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତ ଦେଇଛନ୍ତି ।

Leave A Reply

Your email address will not be published.

4 × 5 =