ନବରଙ୍ଗପୁର : ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ଏକ ପରିବାର ର ଦୁଃଖ ଭରା କାହାଣୀ l ପରିସ୍ଥିତି ଯାଯାବର କରିଦେଲା ଧନୁର୍ଜୟ ଦୁର୍ଗାଙ୍କୁ। ବଞ୍ଚିବାକୁ ରାଜ୍ୟର ବାହାରେ ଏକାଧିକ ସହରରେ ଶ୍ରମିକ ଭାବରେ ବିଭିନ୍ନ ଜାଗାରେ ଜୀବିକା ଯୋଗାଡ କରିବାକୁ ପଡ଼ୁଥିଲା ଧନୁର୍ଜୟଙ୍କୁ। ଏହି ଭିତରେ ଯୋଷବନ୍ତୀଙ୍କୁ ଜୀବନ ସାଥୀ କରି ଘର ସଂସାର କରିବା ଭିତରେ ପୁଅଟିଏକୁ ତିନିବର୍ଷ ଚାଲୁଛି। ତିନି ପ୍ରାଣୀ ଦୁଃଖେ ସୁଖେ ଚଳି ଆସୁଥିବାବେଳେ ଧନୁର୍ଜୟ ଙ୍କ ଜୀବନର ଗତିପଥରେ ଏପରି ଏକ ଅସହନୀୟ ଯନ୍ତ୍ରଣା ଦାୟକ ଅପୂରଣୀୟ କ୍ଷତି ପହଞ୍ଚାଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବ ଆଉ ଡାହାଣ ଗୋଡ଼ ଆଣ୍ଠୁ ଉପରୁ କାଟି ଦିଆଯିବ। କେହି କେବେ କଳ୍ପନା କରିନଥିବେ। ଅଭାବୀ ଗରିବ ମଣିଷ ଧନୁର୍ଜୟଙ୍କ ସ୍ଥାୟୀ ଗାଁ, ନିଜ ଗାଁ, ପରିଚୟପତ୍ର,ଜମିଜମା ସଂପର୍କିତ କାଗଜ ପତ୍ର,ଆଧାର କାର୍ଡ,ରାସନ୍ କାର୍ଡ ଭୋଟ ପରିଚୟପତ୍ର କି ଜବ କାର୍ଡ ବୋଲି କୌଣସି ପ୍ରମାଣ ପତ୍ର ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଧନୁର୍ଜୟ (୩୦)ଙ୍କ ପରିବାର କହିଲେ ପାଞ୍ଚ ଭାଇ ଭଉଣୀ । ପରିବାରରେ ସବୁଠୁ ବଡ ଧନୁର୍ଜୟ , ତାପରେ ଭାଇ ଧନ ଦୁର୍ଗା (୨୫) ଭଉଣୀ ଯାନ୍ହବୀ (୨୨) ,ଭାଇ ସରୁ ଦୁର୍ଗା (୨୦) ଓ ସବା ସାନ ଭଉଣୀ ଅମ୍ବିକା । ୨୦ ବର୍ଷ ତଳେ ପିତା ମୋହନ ମାଝୀଙ୍କ ଦେହାନ୍ତ ପରେ ପାଞ୍ଚ ସନ୍ତାନ କୁ ଛାଡି ଅନ୍ୟତ୍ର ସଂସାର କରିବାକୁ ମାଁ ଚାଲିଗଲା। ବାଧ୍ୟ ହୋଇ ଭୂମିହୀନ ଗୃହହିନ ସନ୍ତାନ ସନ୍ତତି ପର ଘର ଓ ସମ୍ପର୍କୀୟଙ୍କ ଅନୁକମ୍ପା ରେ କିଛି ବର୍ଷ କାଟିବା ପରେ ଭେଣ୍ଡା ଭେଣ୍ଡି ବୟସରେ ପହଞ୍ଚି ପେଟ ପାଟଣା ପାଇଁ ରାଜ୍ୟ ବାହାରେ କୁଲି ମଜୁରୀ କରି ଦିନ ବିତୁଛି ଏମାନଙ୍କର।ଜୀବନ ଜୀବିକା ପାଇଁ ରାଜ୍ୟାନ୍ତର ହୋଇ ବିଭିନ୍ନ ସ୍ଥାନରେ ରହି ଦିନ ବିତୁଥିବା ବେଳେ ନିଜସ୍ଵ କୌଣସି କାଗଜ ପତ୍ର ହୋଇପାରିନଥିବା କହିଛନ୍ତି ଧନୁର୍ଜୟ। ବର୍ତ୍ତମାନ ୧୬ ଦିନ ହେବ ଗୋଡ଼ କଟାଯାଇ ଝରିଗାଁ ବ୍ଲକ୍ ପାଲୀଆ ପଞ୍ଚାୟତ ଅନ୍ତର୍ଗତ ରାମସା ଗାଁ ନିଜ ସମ୍ପର୍କୀୟ ମାମୁ ସୁରେନ୍ଦ୍ର ଦୁର୍ଗା ଘରେ ଆଶ୍ରୟ ନେଇଛନ୍ତି ଧନୁର୍ଜୟ ଓ ସ୍ତ୍ରୀ ଆଉ ପୁଅ । ସ୍ତ୍ରୀ ଯୋଷବନ୍ତିଙ୍କ ଘର ଡ଼ାବୁଗାଁ ବ୍ଲକ୍ ମେଦନା ଗାଁ। କେତେବେଳେ ଶଶୁର ଘରେ ତ କେତେବେଳେ ପିତୃ ସମ୍ପର୍କିତ ରାମସା ଗାଁ ସମର୍କିୟଙ୍କ ଘରେ ରହି ଦିନ କାଟୁଥିବା ବେଳେ ଧନୁର୍ଜୟଙ୍କ ନିଜସ୍ଵ ଘର ନାହିଁ। ଯାଯାବର ଜୀବନ ଯିଉଁ ଥିବା ଧନୁର୍ଜୟ ଙ୍କ କୌଣସି ପରିଚୟ ସରକାରୀ ଦସ୍ତାବିଜ୍ ନଥିବାରୁ କୌଣସି ସରକାରୀ ସହାୟତା ମିଳୁନଥିବା କହିଛନ୍ତି ଦୁର୍ଗା ଦମ୍ପତି। ଘଟଣା ପ୍ରକାରେ ପୋଡ଼ଶି ରାଜ୍ୟ ଆନ୍ଧ୍ର ପ୍ରଦେଶର ବିଜୟ ନଗର ସହରର ନିଲେ ୱାଡା ଠାରେ ଏକ ପ୍ରାନ୍ତର ମଧ୍ୟରେ ପଥର ଡ୍ରିଲିଂ କାର୍ଯ୍ୟରେ ଶ୍ରମିକଭାବେ କାର୍ଯ୍ୟ କରୁଥଲେ। ବିଗତ ୨୦୨୨ ଡିସେମ୍ବର ୧୯ ତାରିଖରେ ଦୂର ସମ୍ପର୍କୀୟ ମାମୁଁ ନୀଳକଣ୍ଠ ହରିଜନ ସହ ମୋଟର ସାଇକେଲରେ ଘର ଅଭିମୁଖେ ଆସୁଥିଲେ। ନିଜ ସ୍ତ୍ରୀ ପିଲା ପାଖକୁ ଫେରୁଥିବା ବେଳେ ଧନୁର୍ଜୟ ବସି ଆସୁଥିବା ମୋଟର ସାଇକେଲ ଏକ ପିକ୍ଅପ ଭ୍ୟାନ ସହ ଧୋକା ହୋଇଥିଲା ଜୟପୁର ବୋରିଗୁମ୍ମା ମୁଖ୍ୟ ରାସ୍ତାର ବୋରିଗୁମ୍ମା ପୋଲିସ ଛକ ନିକଟରେ। ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ୩୦ ମିନିଟ୍ । ପ୍ରବଳ ଥଣ୍ଡା ଏବଂ ସୁଦୂର ଆନ୍ଦ୍ରରୁ ଫେରୁଥିବା ବେଳେ ଚା ପିଇବାକୁ ଇଚ୍ଛାକରି ବାଇକ୍ ଅଟକାଇବା ବେଳକୁ ଏକ ପିକ୍ ଅପ ଭ୍ୟାନ ପଛ ଆଡ଼ୁ ଧୋକା ଦେବାରୁ ନିର୍ମାଣାଧୀନ ଡ୍ରେନ ରେ ଛିଟକୀ ପଡ଼ିଥିଲେ ଧନୁର୍ଜୟ । ଡାହାଣ ଗୋଡ଼ ଜଙ୍ଘ ତଳୁ ହାଡ଼ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଥିଲା। ବେହସ ଅବସ୍ଥାରେ ବୋରିଗୁମ୍ମା ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ବ୍ୟବସ୍ଥା କରି ଚିକିତ୍ସା ପାଇଁ କୋରାପୁଟ ସରକାରୀ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲା। ଖବର ପାଇ ଧନୁର୍ଜୟଙ୍କ ସମ୍ପର୍କୀୟ ପହଞ୍ଚିଥିଲେ। ବାଇକ୍ ଚଲାଉଥିବା ନୀଳକଣ୍ଠ ଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିବାରୁ ହାଡ଼ ଫେକ୍ଚର୍ ହୋଇଥିଲା। ବର୍ତ୍ତମାନ ନୀଳକଣ୍ଠଙ୍କ ଅବସ୍ଥା ସୁଧୁରିବାରେ ଲାଗିଛି। ଏତେ ବାଟ ଆସିଲା ପରେ ଆଉ ୭୦ କିମି ବାଟ ପରେ ନିଜ ସ୍ତ୍ରୀ ପିଲା କୁ ଭେଟିଥାନ୍ତେ। ଭ୍ୟାନ୍ ର ବାମପାଖ ଇଞ୍ଜିନ ବନେଟ ଓ ଭ୍ୟାନ ଦର୍ପଣ ବାଇକ୍ରେ ବାଜି ଯିବାରୁ ପଛରେ ବସିଥିବା ଧନୁର୍ଜୟ ଖସି ଜୋରରେ ଛିଟିକି ପଡ଼ିଥିଲେ ଡ୍ରେନ ମଧ୍ୟକୁ । ଯାହା ଫଳରେ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । କ୍ଷତ ସୁସ୍ଥ ହେବା ପରିବର୍ତେ ୪ ମାସ ଭିତରେ କର୍କଟ ଆକ୍ରାନ୍ତ ହୋଇଗଲା। ବଞ୍ଚିବାକୁ ହେଲେ ଗୋଡା କାଟିବାକୁ ପଡ଼ିବ ବୋଲି ଡାକ୍ତର କହିଥିଲେ ଏବଂ ଗୋଡ଼ଟିକୁ କାଟିବାକୁ ପଡ଼ିଥିଲା । କୁଲି ମଜୁରୀ କରି ବଞ୍ଚୁଥିବା ଏହି ପରିବାରର ପରିସ୍ଥିତି ଭାରି ଶୋଚନୀୟ। ଆର୍ଥିକ ଅନାଟନ ସାଂଗକୁ ଦୈନଦିନ ଦରକାର ପଡ଼ୁଥିବା ଦୁଇ ମୁଠା ଦାନା ପାଇଁ ଚିନ୍ତା ଗ୍ରସ୍ତ ପରିବାର । ଦୁର୍ଘଟଣା ଘଟାଇଥିବା ଭ୍ୟାନ ଡ୍ରାଇଭର କିମ୍ବା ଗାଡ଼ି ମାଲିକଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ଦିଆଯାଇନଥିବା କହିଛନ୍ତି ଧନୁର୍ଜୟ। ଘଟଣାକୁ ନେଇ କେସ ଅଦାଲତରେ ଚାଲିଥିବା ବେଳେ କେସ ସମ୍ଭଦରେ କୌଣସି କାଗଜ ପତ୍ର କିମ୍ବା ସୂଚନା ତାଙ୍କ ନିକଟରେ ପହଞ୍ଚିନଥିବା କହିଛନ୍ତି ଧନୁର୍ଜୟ ଏବଂ ତାଙ୍କ ସମ୍ପର୍କୀୟ। ନିରାଶ ହାତାସର କଳାବାଦଲ ଢାଙ୍କି ଦେଇଛି ଦୁର୍ଗା ଦମ୍ପତିଙ୍କ ପରିବାର ଉପରେ। ବଦ୍ୟାନତା ଦେଖାଇ କିଛି ସରକାରୀ ସହାୟତା ପ୍ରଦାନ କଲେ ପରିବାରର ମଙ୍ଗଳ ହୋଇପାରନ୍ତା ବୋଲି ପ୍ରକାଶ କରିଛନ୍ତି ସମ୍ପର୍କୀୟ ମାମୁ ସୁରେନ୍ଦ୍ର ଦୁର୍ଗା।