ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିଲା ବିମାନ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜିଠାରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାକୁ ପତକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଉତ୍କଳ ଦିବସର ଏହି ବିମାନ ସେବା ପାଇଁ ଟିକଟ ବିକ୍ରିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟା ସାଢେ଼ ୬ଟାରେ ଉଦ୍ଘାଟନୀ ବିମାନରେ ରାଜ୍ୟ ସରକାରଙ୍କ ୭୦ଜଣିଆ ଦଳଙ୍କ ସହ ମୋଟ ୧୭୦ ଯାତ୍ରୀ ଧରି ଇଣ୍ଡିଗୋ ବିମାନ ଦୁବାଇକୁ ଉଡ଼ାଣ ଆରମ୍ଭ କରିଛି । ବିମାନଟି ରାତି ୯.୪୫ମିନିଟ୍ ସମୟରେ ସେଠାରେ ପହଞ୍ଚିବ । ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ଓଡ଼ିଶାକୁ ଅଧିକ ବ୍ୟବସାୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇପାରିବ । ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଉକ୍ତ ବିମାନ ସେବା ସହାୟକ ହୋଇପାରିବ । ଇଣ୍ଡିଗୋ ଏୟାରଲାଇନ୍ସ ମେ ୧୫ରେ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଉଡ଼ାଣ କରିବା ନେଇ ପୂର୍ବରୁ ଟିକଟ ବିକ୍ରି ଆରମ୍ଭ ହୋଇଥିଲା । ସପ୍ତାହର ସୋମବାର, ବୁଧବାର ଏବଂ ଶୁକ୍ରବାର ଭୁବନେଶ୍ୱର-ଦୁବାଇ ବିମାନ ଉଡ଼ାଣ କରିବା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ ସକାଳ ୬.୩୦ ମିନିଟରେ ଉଡ଼ାଣ କରି ଦୁବାଇରେ ପୂର୍ବାହ୍ନ ୯.୪୫ ମିନିଟରେ ଅବତରଣ କରିବ, ସେହିପରି ଦୁବାଇରୁ ଏହି ବିମାନ ସେହିଦିନ ଅପରାହ୍ଣ ୩.୧୫ ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବ । ଏହି ବିମାନ ସେବା ଆରମ୍ଭ କରିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଟର୍ମିନାଲ ବିଲ୍ଡିଂ ପୁନରୁଦ୍ଧାର କରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକ୍ ଅନ୍ତର୍ଜାତୀୟ ସହରକୁ ବିମାନ ଉଡ଼ାଣ ନେଇ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିଲା । ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦ, ବୈଷୟିକ ଜ୍ଞାନକୌଶଳ, ଇତିହାସ, ସଂସ୍କୃତି ଓ ପର୍ଯ୍ୟଟନକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଗୁରୁତ୍ୱ ବହନ କରୁଛି । ଏହି ତିନି ଅନ୍ତର୍ଜାତୀୟ ସହରକୁ ବିମାନ ଉଡ଼ାଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥିପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ଆବେଦନ କରିଥିଲା । ସଂସ୍ଥା ପକ୍ଷରୁ ସରକାରଙ୍କୁ ଯେଉଁ ବିଲ୍ ଦିଆଯାଇଥିଲା ତାକୁ କ୍ୟାବିନେଟ ମଞ୍ଜୁର କରିଥିଲା । ସମସ୍ତ ଟିକଟ ଅର୍ଥ ରାଜ୍ୟ ସରକାରଙ୍କ ପାଖକୁ ଆସିବ ଏବଂ ବିମାନ ସଂସ୍ଥାକୁ ଟିକଟ ଖର୍ଚ୍ଚ ଦିଆଯିବ । ସପ୍ତାହକୁ ତିନିଦିନ ଦୁଇଟି ଲେଖାଏଁ ୧୮୬ ଆସନ(ସିଟ୍) ବିଶିଷ୍ଟ ବିମାନ ଚଳାଚଳ କରିବ । ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସୁଗମ କରିବା ସହ ରାଜ୍ୟ ରାଜସ୍ୱ ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଜୁଲାଇ ୩ ତାରିଖରୁ ଭୁବନେଶ୍ୱର ବିମାନବନ୍ଦରରୁ ସିଙ୍ଗାପୁର ଓ ବ୍ୟାଙ୍କକକ୍କୁ ବିମାନସେବା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ବିନା ସହଯୋଗରେ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଇଛି ।

Leave A Reply

Your email address will not be published.

1 × one =