ଶିବକୁମାର ଉପମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ହେବେ । ସେହିପରି ପିସିସି ସଭାପତି ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଆଜି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଆସନ୍ତା ୨୦ ତାରିଖ ଦିନ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ । ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗତ ୫ଦିନ ଧରି ଅଚଳାବସ୍ଥା ଲାଗି ରହିଥିଲା । ଉଭୟ ସିଦ୍ଧରମେୟା ଓ ଶିବ କୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ । ତେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି ଓ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ମାରାଥନ ଆଲୋଚନା ପରେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ହୋଇଥିଲେ । ପୂର୍ବରୁ ସେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ମନା କରିବା ଯୋଗୁ ନେତୃତ୍ୱ ପ୍ରସଙ୍ଗ ନେଇ ଅଚଳାବସ୍ଥା ଲାଗି ରହିଥିଲା । ତେବେ ଶ୍ରୀମତୀ ଗାନ୍ଧିଙ୍କ ସହ ଆଲୋଚନା କରିବା ପରେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ଲାଗି ସହମତ ପ୍ରକାଶ କରିଥିଲେ । ଶ୍ରୀ ସିଦ୍ଧରମେୟା ୫ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।