ନବରଙ୍ଗପୁର : ସତୀ ସାବିତ୍ରୀ କଥା କିଏ ବା ନଜାଣିଛି |ଭାରତୀୟ ସଂସ୍କୃତି ରେ ସାବିତ୍ରୀ ଙ୍କୁ ଆଦର୍ଶ ନାରୀ ଓ ପତିବ୍ରତା ସ୍ତ୍ରୀ ର ଆଖ୍ୟା ଦିଆଯାଇଛି |ପୌରାଣିକ ମତରେ ମଦର ଦେଶର ରାଜା ଅଶ୍ୱପତି ଙ୍କ ଅଲିଅଳି ଝିଅ ଥିଲେ ସାବିତ୍ରୀ |ଅଶ୍ୱପତିଙ୍କ ବିବାହ କୁ ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ |ତେଣୁ ଜଣେ ରୁଷି ଙ୍କ ପରାମର୍ଶ ରେ ମା ସାବିତ୍ରୀ ଙ୍କୁ ଆରାଧନା କରି ଏକ ଶିଶୁକନ୍ୟା ପାଇଥିବାରୁ ତାର ନାମ ସାବିତ୍ରୀ ରଖିଥିଲେ |ସାବିତ୍ରୀ ସର୍ବଗୁଣ ସମ୍ପନ୍ନା ଥିଲେ |ତେଣୁ ତାଙ୍କ ପିତା ଅଶ୍ୱପତି ସ୍ୱଇଚ୍ଛା ରେ ବର ବାଛିବାର ଅଧିକାର ଦେଇଥିଲେ |ପିତାଙ୍କ କହିବା ପ୍ରକାରେ ସାବିତ୍ରୀ ବିଭିନ୍ନ ଦେଶ ପରିଭ୍ରମଣ କରି ଶେଷରେ ସାଲବ ଦେଶର ରାଜା ଧୁମତସେନ ଙ୍କ ପୁତ୍ର ସତ୍ୟବାନଙ୍କୁ ପତି ରୂପେ ଗ୍ରହଣ କରିଥିଲେ |ରାଜାରାଣୀ ଦୁହେଁ ଅନ୍ଧଅନ୍ଧୁଣି ହୋଇଥିବାରୁ ପଡୋଶୀ ରାଜା ତାର ଫାଇଦା ଉଠେଇଥିଲେ ଓ ଶାଳବ ଦେଶ କୁ ଅକ୍ତିଆର କରିଥିଲେ |ଫଳରେ ପୁଅ ସତ୍ୟବାନ ଙ୍କୁ ଧରି ରାଜାରାଣୀ ଜଙ୍ଗଲ ରେ କୁଡ଼ିଆ କରି ରହୁଥିଲେ |ସତ୍ୟବାନ ଅଳ୍ପାୟୁ ଜାଣି ମଧ୍ୟ ସାବିତ୍ରୀ ତାଙ୍କୁ ହିଁ ବିବାହ କରିଥିଲେ |ସତ୍ୟବାନ ଙ୍କ ଆୟୁର ଶେଷ ଦିନରେ ନିଜେ ଯମରାଜ ସତ୍ୟବାନ ଙ୍କ ପ୍ରାଣ ଘେନିଜିବା ପାଇଁ ପହଂଚିଥିଲେ |ସେତେବେଳେ ସତ୍ୟବାନ ସାବିତ୍ରୀ ଙ୍କ କୋଳରେ ସୋଇଥିଲେ |ଯମରାଜ ସାବିତ୍ରୀ ଙ୍କୁ ସକଳ ବୃତାନ୍ତ କହିବା ପରେ ସାବିତ୍ରୀ ଯମରାଜ ଙ୍କୁ ତିନୋଟି ବର ମାଗିଥିଲେ ଯେଉଁଥିରେ ସେ, ଶାଶୁ ଶ୍ୱଶୁର ଙ୍କ ନେତ୍ର, ହରେଇଥିବା ରାଜ୍ୟ ଏବଂ ନିଜ ସ୍ୱାମୀ ର ପ୍ରାଣ ଫେରେଇ ଆଣିଥିଲେ |ହେଲେ ବର୍ତ୍ତମାନ ସମୟ ରେ ଜଣେ ସତ୍ୟବାନ ଦୀର୍ଘ ଆଠମାସ ହେବ ନିଜ ଧର୍ମପତ୍ନୀ ଙ୍କ ସେବାରେ ନିୟୋଜିତ ଅଛନ୍ତି |ଗାଧୋଇ ଦେବା, ଖୁଆଇ ଦେବା, ଶୁଆଇ ଦେବା, ବସେଇ ଦେବା, ହାତରେ ଟେକି ଘରୁ ପଦାକୁ ଆଣିବା ଓ ପୁଣି ପଦା ରୁ ଟେକିନେଇ ବିଛଣା ରେ ଶୁଆଇ ଦେବା ଏସବୁ ତାଙ୍କର ନିତି ଦିନିଆଁ କାମ ପାଲଟି ଯାଇଛି |ଏହା ହେଲା ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମର ଗଙ୍ଗାଧର ଯାନୀ ଙ୍କ କାହାଣୀ l ୬୩ ବର୍ଷୀୟ ଗଙ୍ଗାଧର ଙ୍କ ସ୍ତ୍ରୀ ୬୧ ବର୍ଷୀୟା ସଭାବତୀ ଯାନୀ ଚାଲୁଚାଲୁ ଘରପାଖରେ ଝୁଣ୍ଟି ପଡ଼ିଥିଲେ |ପଡିଯିବାର ଦେଖି ଘରଲୋକ ସମସ୍ତେ ଟେକାଟେକି କରି ଘରକୁ ନେଇଗଲେ |ହେଲେ ଘରେ ପହଂଚି ଦେଖିବା ବେଳକୁ ସଭାବତୀ ଙ୍କ ଚାରୀ ହାତଗୋଡ଼ ଅକାମି ହୋଇଯାଇଛି |ନା ହାତରେ କିଛି ଧରି ପାରୁଛନ୍ତି ନା ଗୋଡ଼ରେ ଛିଡା ହୋଇ ପାରୁଛନ୍ତି |ପୁରାପୁରି ପଙ୍ଗୁ ପାଲଟି ଯାଇଛନ୍ତି ସଭାବତୀ ଏପରି କି ମୁହଁ ରୁ ମଧ୍ୟ କଥା ବାହାରିବା ବନ୍ଦ ହୋଇଗଲା |ପଙ୍ଗୁ ସାଙ୍ଗକୁ ମୁକ ପାଲଟି ଗଲେ ସେ |ପରିବାରରେ ଦୁଇପୁଅ |ପୁଅମାନେ ମଧ୍ୟ ବିବାହିତ |ଦୁଇ ଝିଅ ମଧ୍ୟ ବାହା ହୋଇ ନିଜ ନିଜ ଶାଶୁ ଘରେ ରହୁଛନ୍ତି |ସଭାବତୀ ଙ୍କ ଏପରି ଅବସ୍ଥା ଦେଖି ଚିନ୍ତିତ ହୋଇ ପଡିଲେ ଘରଲୋକେ |ନିଜର ସକ୍ଷମ ଅନୁସାରେ ବିଭିନ୍ନ ମେଡିକାଲ ବୁଲେଇ ଦେଖେଇଲେ ହେଲେ କିଛି ବି ସୁଫଳ ମିଳିଲାନାହିଁ | ଶେଷରେ ଗଙ୍ଗାଧର ନିଜ ସ୍ତ୍ରୀ ର ସମସ୍ତ କାର୍ଯ୍ୟ କରୁଛନ୍ତି |ଏଇ ମାସ ଖଣ୍ଡେ ହେବ ଗଙ୍ଗାଧରଙ୍କ ସେବାଶୁଶ୍ରୁଷା ଯୋଗୁଁ ଟିକେ ଟିକେ କଥା କହୁଛନ୍ତି ସଭା |ଗଙ୍ଗାଧରଙ୍କ କହିବା ପ୍ରକାରେ ପିତୃ ଅର୍ଜିତ ଜମି 6ଏକର ଅଛି ଯାହାକୁ ତାଙ୍କର ଦୁଇପୁଅ ଚାଷ କରି ଖାଉଛନ୍ତି |ବୁଢ଼ାବୁଢ଼ୀ ଦୁହିଁଙ୍କୁ ମଧୁବାବୁ ପେନସନ ଯୋଜନା ପେନସନ ମଧ୍ୟ ମିଳୁଥିଲା ହେଲେ ଏହି ତିନିମାସ ହେବ ଦୁହେଁ ପେନସନ ପାଇ ନାହାନ୍ତି |2013 ମସିହାରେ ଆବାସ ଯୋଜନାରେ ଟିଣ ଘରଟିଏ ମଧ୍ୟ ପାଇଛନ୍ତି ଓ ପି ଡି ଏସ ଚାଉଳ ମଧ୍ୟ ପାଉଛନ୍ତି |ଦୁଇଜଣ ଙ୍କ ତିନିମାସର ପେନସନ ଯଦି ମିଳି ଯାଆନ୍ତା ତେବେ ଭଲ ହୁଅନ୍ତା ବୋଲି ଗଙ୍ଗାଧର କହିଛନ୍ତି |