ଜାତୀୟ ରାଜପଥ କର୍ତୃପକ୍ଷଙ୍କ ରେକର୍ଡ
ନୂଆଦିଲ୍ଲୀ : ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏକ ନୂଆ ରେକର୍ଡ କରିଛି । ମାତ୍ର ୧୦୦ ଘଣ୍ଟାରେ ୧୦୦ କିଲୋମିଟରରୁ ଅଧିକ ଦୀର୍ଘ ଏକ ସଡ଼କ ନିର୍ମାଣ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱରେ ଏକ ରେକର୍ଡ । ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଗାଜିଆବାଦ-ଆଲିଗଡ଼ ଏକ୍ସପ୍ରେସରେ ୧୦୦ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ମାତ୍ର ୧୦୦ ଘଣ୍ଟାରେ ଶେଷ ହୋଇଛି । ୧୦୦ ଘଣ୍ଟାରେ ନିର୍ମିତ ଏହି ୧୧୨ କିଲୋମିଟର ଏକ ବିଶ୍ୱ ରେକର୍ଡ । ଏହା ପୂର୍ବରୁ ୧୦୫ ଘଣ୍ଟାରେ ୭୫ କିଲୋମିଟର ରେକର୍ଡ କରାଯାଇଥିଲା । ଗାଜିଆବାଦ-ଆଲିଗଡ଼ ଏକ୍ସପ୍ରେସୱେ ମେ ୧୫ ତାରିଖ ସକାଳ ୧୦ଟାରେ ଉଦଘାଟିତ ହୋଇଥିଲା ଏବଂ ଆଜି ଅପରାହ୍ନ ୨ଟାରେ ୧୦୦ ଘଣ୍ଟା ଶେଷ ହୋଇଥିଲା । ଏହା ଏକ ୬ ଲେନ୍ ବିଶିଷ୍ଟ ଏrପ୍ରେସ୍ ୱେ । ଗାଜିଆବାଦ-ଆଲିଗଡ଼ ଏକ୍ସପ୍ରେସୱେ ନିର୍ମାଣ ପାଇଁ ୬ଟି ହଟମିକ୍ସ ପ୍ଲାଣ୍ଟ, ୧୫ଟି ସେନ୍ସର ପେଭର ଏବଂ ୨ ହଜାର ଲୋକଙ୍କୁ ନିୟୋଜିତ କରାଯାଇଛି । ଏହାବ୍ୟତୀତ ଏହି ଏକ୍ସପ୍ରେସୱେ ନିର୍ମାଣରେ ୨୫୦ ଜଣ ଇଞ୍ଜିନିୟର ନିୟୋଜିତ ଥିଲେ । ଅର୍ଥାତ ମୋଟ ୨୨୫୦ କର୍ମଚାରୀ ଓ ଅଧିକାରୀ ମିଳିତ ଭାବେ କାମ କରି ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରିଛନ୍ତି । ଅନ୍ୟ ଏକ ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏନଏଚଏଆଇର ରାଜପଥ ନିର୍ମାଣ ୧୩ ପ୍ରତିଶତ ବୃଦ୍ଧି ପାଇ ୪୮୮୨ କିଲୋମିଟରରେ ପହଞ୍ଚିଛି ।