ସୁପ୍ରିମକୋଟରେ ଦୁଇ ନୂତନ ବିଚାରପତିଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ : ସୁପ୍ରିମକୋଟର ନୂତନ ବିଚାରପତି ଭାବେ ପ୍ରଶାନ୍ତ ମିଶ୍ରା ଏବଂ ବରିଷ୍ଠ ଆଡଭୋକେଟ କେ. ଭି. ବିଶ୍ୱନାଥନ ଆଜି ଶପଥ ଗ୍ରହଣ କରିଛନ୍ତି । ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସେମାନଙ୍କୁ ଶପଥ ପାଠ କରାଇଥିଲେ । ଆଜିର ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସୁପ୍ରିମକୋଟ ୱେବସାଇଟରେ ମଧ୍ୟ ଲାଇଭ୍-ଷ୍ଟ୍ରିମ୍ କରାଯାଇଥିଲା । ସୁପ୍ରିମ୍ କୋର୍ଟରେ ବିଚାରପତି ମିଶ୍ରା ଏବଂ ବିଶ୍ୱନାଥନଙ୍କୁ ନିଯୁକ୍ତି କରିବା ଲାଗି ଗୁରୁବାର ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଟୁଇଟ୍ କରି ଏ କଥା ସୁନିଶ୍ଚିତ କରିଥିଲେ । ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ସୁପ୍ରିମ୍ କୋର୍ଟଙ୍କ କଲିଜିୟମ୍ ସେମାନଙ୍କ ନାମ ସୁପାରିସ କରିଥିଲେ । ସୂଚନାଯୋଗ୍ୟ, ଆଜି ଶପଥ ଗ୍ରହଣ କରିଥିବା ୨ଜଣ ବିଚାରପତିଙ୍କୁ ମିଶାଇ ସୁପ୍ରିମ୍ କୋର୍ଟରେ ବିଚାରପତି ସଂଖ୍ୟା ସମ୍ପୂର୍ଣ୍ଣ ହୋଇଛି । ନିୟମାନୁସାରେ ସୁପ୍ରିମ୍ କୋର୍ଟରେ ସମୁଦାୟ ୩୪ଜଣ ବିଚାରପତି ରହିବା କଥା । ଅଳ୍ପଦିନ ପୂର୍ବେ ସୁପ୍ରିମ୍ କୋର୍ଟର ବିଚାରପତି ଦିନେଶ ମାହେଶ୍ୱରୀ ଏବଂ ଏମ୍.ଆର. ଶାହ ଅବସର ଗ୍ରହଣ କରିଥିଲେ । ସେହିପରି, ଜୁଲାଇ ମାସରେ ଆଉ ୪ଜଣ ବିଚାରପତି ଅବସର ଗ୍ରହଣ କରିବାକୁ ଥିବାରୁ ପୁଣି ସୁପ୍ରିମ୍ କୋର୍ଟର ବିଚାରପତି ସଂଖ୍ୟା ନିର୍ଦ୍ଧାରିତ ସଂଖ୍ୟାଠାରୁ କମିଯିବ । ମଙ୍ଗଳବାର ଦିନ ବିଚାରପତି ମିଶ୍ରା ଓ ବିଶ୍ୱନାଥନ ନାମ ସୁପାରିସ କରିବା ସମୟରେ କଲିଜିୟମ୍ ଏକଥା କହିଥିଲେ ।

Leave A Reply

Your email address will not be published.

two × 4 =