କ୍ୟାବିନେଟକୁ ଫେରିଲେ ବିକ୍ରମ, ସୁଦାମ, ସାରଦା
ଭୁବନେଶ୍ୱର : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ଛୋଟ ଧରଣର ସମ୍ପ୍ରସାରଣ କରିଛନ୍ତି । ୨୦୨୪ ବିଧାନସଭା ନିର୍ବାଚନ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପଂଚମ ପାଳି ଶାସନ ଅନ୍ତିମ ସମ୍ପ୍ରସାରଣରେ ଦଳର ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସାଦ ନାୟକ ପୁନର୍ବାର କ୍ୟାବିନେଟକୁ ଫେରିଛନ୍ତି । `ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବନିଯୁକ୍ତ ମନ୍ତ୍ରୀ ଶ୍ରୀ ଆରୁଖ, ଶ୍ରୀ ମାରାଣ୍ଡି ଓ ଶ୍ରୀ ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବନିଯୁକ୍ତ ୩ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଂଟନ କରିଛନ୍ତି । ନବନିଯୁକ୍ତ ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିଲା ବେଳେ ଶ୍ରୀ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଶ୍ରୀ ନାୟକଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ଉଲ୍ଲେଖ ଥାଉ କି ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଆଉ ଗତକାଲି ହିଁ ଏହି ତିନି ଜଣ ବରିଷ୍ଠ ବିଧାୟକ ହିଁ ମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା ।