କନ୍ଧମାଳ ଜିଲ୍ଲାରେ ଆଇସିଏଆର୍-ସିଫା ତରଫରୁ ବୈଜ୍ଞାନିକ-କୃଷକ ଭାବବିନିମୟ କାର୍ଯ୍ୟକ୍ରମ

ବଳନ୍ଦାପଡ଼ା/କନ୍ଧମାଳ: ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଓ ଗବେଷଣା ସଂସ୍ଥା ତରଫରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନ ବଳନ୍ଦାପଡ଼ା ଗ୍ରାମରେ ମଧୁର ଜଳ ଜୀବପାଳ ସଂପର୍କରେ ଏକ କୃଷକ-ବୈଜ୍ଞାନିକ ଭାବ ବିନିମୟ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଡିଏସଟି ପ୍ରକଳ୍ପ ଅଧିନରେ ପୋଷ୍ୟ ଭାବରେ ଗ୍ରହଣ କରାଯାଇଥିବା ଗ୍ରାମଗୁଡିକରୁ ପ୍ରାୟ ୧୭୦ ଜଣ ତଫସିଲଭୁକ୍ତ ଜାତିର ମହିଳା କୃଷିଜୀବି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଥିବା ଅଧିକାଂଶ ହିତାଧିକାରୀମାନେ ଯୋଗଦାନ କରିଥିଲେ । ଏହି ବୈଠକରେ କନ୍ଧମାଳ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କହଁର ଯୋଗଦାନ କରି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଜଳକୃଷି ଉତ୍ପାଦ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଶ୍ରୀ କହଁର ଉପସ୍ଥିତ କୃଷକମାନଙ୍କୁ ବିଭିନ୍ନ ସରକାରୀ ପ୍ରକଳ୍ପ, ଯୋଜନା, ଛାତ୍ରବୃତି ଓ ସବ୍ସିଡ଼ି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କୃଷକମାନଙ୍କୁ
ନୂତନ ଜ୍ଞାନକୌଶଳ ଆପଣେଇବା ପାଇଁ ପ୍ରବର୍ତାଇବା ସହ ‘ଗୋ ସୁଗମ’ ପୋର୍ଟାଲର ଉପଯୋଗ କରିବାକୁ ସେ ଉପସ୍ଥିତ ମହିଳା କୃଷିଜୀବି ମାନଙ୍କୁ କହିଥିଲେ । ଆଇସିଏଆର୍- ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଏସ୍. ଏନ୍. ସେଠୀ ଯୋଗଦେଇ ମଧୁରଜଳ ଜୀବ ପାଳନ ପାଇଁ ବୈଜ୍ଞାନିକ ଜ୍ଞାନକୌଶଳ ସମ୍ବନ୍ଧରେ କୃଷକମାନଙ୍କୁ ସରଳ ଭାବରେ ବୁଝାଇବା ସହ ଜୈବିକ ପ୍ରଣାଳୀରେ ମାଛଚାଷ କରିବା ପାଇଁ ଉପସ୍ଥିତ ମହିଳା କୃଷିଜୀବିମାନଙ୍କୁ ବିଭିନ୍ନ ଉପାୟ
ବତାଇଥିଲେ । ଯାହାଦ୍ୱାରା କି ପରିବେଶ ନିର୍ମଳ ରହିବା ସହିତ ଅଧିକ ଉତ୍ପାଦନ ଓ ଆୟ ବୃଦ୍ଧି ହୋଇପାରିବ । ମହିଳା କୃଷକମାନେ ଆଗକୁ ଆସି ସିଫାର ଜ୍ଞାନ କୌଶଳ ପ୍ରୟୋଗ କରି ଜାଆଁଳ ଉତ୍ପାଦନ ଦ୍ୱାରା ଅଧିକ ରୋଜଗାର କରିପାରିବେ ଓ ଉଚ୍ଚମାନର ଜାଆଁଳ ନିଜ ପୋଖରୀରେ ଛାଡ଼ି ପାରିବେ ବୋଲି କହିଥିଲେ । ‘ମୋ ପୋଖରୀ’ ସମ୍ବନ୍ଧରେ ବଳନ୍ଦାପଡ଼ା ଗାଁର ସରପଂଚ ସୂଚନା ଦେଇଥିଲେ । ପଂଚାୟତରେ ମାଛଚାଷର ଉନ୍ନତି ପାଇଁ ସେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହ ନିରନ୍ତର ସଂପର୍କରେ ରହିବେ ବୋଲି ମଧ୍ୟ କହିଥିଲେ । ଆଇସିଏଆର୍-ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଜି. ଏସ୍. ସାହା ସମନ୍ୱିତ ମାଛ ଚାଷ ଉପରେ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ, ପୋଖରୀରେ ମାଛ ରହିବା ଯାହା ବ୍ୟାଙ୍କରେ ପଇସା ରଖିବା ସେଇଆ । ଉଭୟ ସୁବିଧା-ଅସୁବିଧା ସମୟରେ କାମରେ ଲାଗିବ । ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ କରି ମହିଳା କୃଷିଜୀବିମାନେ ସେମାନଙ୍କ ବଳକା ସମୟରେ ମାଛ ଚାଷ କରି ଅଧିକ ଲାଭାନ୍ୱିତ ହୋଇପାରିବେ ବୋଲି
ଡଃ ସାହା ପ୍ରକାଶ କରିଥିଲେ ।

Leave A Reply

Your email address will not be published.

one × 5 =