ଯୁକ୍ତ ଦୁଇ ବିଜ୍ଞାନରେ ୮୪.୯୩% ଓ ବାଣିଜ୍ୟରେ ୮୨.୧୨% ପାସ୍: ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

  • ବିଜ୍ଞାନ ଓ ବାଣିଜ୍ୟରେ ନୟାଗଡ ଶୀର୍ଷରେ
  • ୨୯୧ଟି କଲେଜରେ ୧୦୦% ରେଜଲ୍ଟ
  • ଦୁଇଟି କଲେଜରେ ଫଳ ଶୂନ
  • ବାଣିଜ୍ୟରେ ୯୪ଟି କଲେଜରେ ୧୦୦% ପାସ୍
  • ଗତବର୍ଷ ତୁଳନାରେ କମିଲା ପାସ୍ହାର
  • ଡିଜି ଲକରରେ ମିଳିବ ପ୍ରମାଣପତ୍ର
  • ଆସନ୍ତା ବର୍ଷରୁ ବଦଳିବ ପରୀକ୍ଷା ଢାଂଚା
  • ୮ ତାରିଖ ସୁଦ୍ଧା କଳା ପରୀକ୍ଷା ଫଳ

ଭୁବନେଶ୍ୱର : ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଆଜି ପ୍ରକାଶ ପାଇଛି । ବିଜ୍ଞାନରେ ୮୪.୯୩% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ବାଣିଜ୍ୟରେ ପାସ ହାର ରହିଛି ୮୨.୧୨% । ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପୁଣି ଛାତ୍ରମାନଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ରୀ । ଆଜି ଉଚ୍ଚଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବା ସଂଗେ ସଂଗେ ଫଳ ଘୋଷଣା କରିଥିଲେ । ବିଜ୍ଞାନରେ ୮୫.୬୭ ପ୍ରତିଶତ ଛାତ୍ରୀ ପାସ କରିଥିବା ବେଳେ ୮୪.୨୮% ଛାତ୍ର ପାସ କରିଛନ୍ତି । ଚଳିତବର୍ଷ ବିଜ୍ଞାନରେ ୯୩,୭୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୭୮,୯୩୮ ପରୀକ୍ଷାର୍ଥୀ ପାସ କରିଛନ୍ତି । ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି । ଚଳିତବର୍ଷ ୩୫୮ଜଣ ଛାତ୍ରଛାତ୍ରୀ ୯୦% ଉପରେ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ବିଜ୍ଞାନ ଓ ବାଣିଜ୍ୟରେ ପାସ୍ହାର ସର୍ବାଧିକ ଥିବା ବେଳେ ଗଜପତି ଓ ବୌଦ୍ଧ ଜିଲ୍ଲା ସବୁଠୁ ତଳେ ରହିଛି । ଯୁକ୍ତ ଦୁଇ ବିଜ୍ଞାନରେ ନୟାଗଡ଼ରେ ୯୬.୪୧% ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଗଜପତି ଜିଲ୍ଲାରେ ୬୧.୫୫ ପ୍ରତିଶତ ପାସ କରିଛନ୍ତି । ଚଳିତ ବର୍ଷ ୨୯୧ଟି କଲେଜ ଶତପ୍ରତିଶତ ରେଜଲ୍ଟ କରିଥିଲା ବେଳେ ୨ଟି କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍ କରିପାରିନାହାନ୍ତି । ଅନ୍ୟ ପକ୍ଷରେ ଗତବର୍ଷ ତୁଳନାରେ ଚଳିତବର୍ଷ ବିଜ୍ଞାନରେ ପାସ ହାର ୧୦% ହାସ ପାଇଛି । ସେହିପରି ଚଳିତବର୍ଷ ବାଣିଜ୍ୟରେ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ୯,୫୩୬ ପରୀକ୍ଷାର୍ଥୀ ପାସ କରିଛନ୍ତି । ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭,୪୧୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ୱିତୀୟ ଶ୍ରେଣୀରେ ୪୫୪୩ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୭୪୯୨ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ବାଣିଜ୍ୟରେ ୮୩.୮୭% ଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ ହାର ୭୯.୫୨% ରହିଛି । ଯୁକ୍ତ ଦୁଇ ବାଣିଜ୍ୟରେ ନୟାଗଡ଼ ଜିଲ୍ଲାରେ ୯୩.୯% ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ୬୧.୫୫ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ବାଣିଜ୍ୟରେ ୧୦୨ଜଣ ଛାତ୍ରଛାତ୍ରୀ ୯୦% ଉପରେ ନମ୍ବର ରଖିଥିବା ଜଣାଯାଇଛି । ଏଣେ ୭୭ହଜାର ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ କରିଛନ୍ତି । ୧୪୭୦ ଏକ ରେଗୁଲାର ପରୀକ୍ଷାର୍ଥୀ ପାସ କରିଛନ୍ତି । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରେଜଲ୍ଟ ଆହୁରି ଭଲ କରିବାକୁ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

16 − 11 =