ଭୁବନେଶ୍ୱର : ଓଡ଼ିଶାର ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ନେଇ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଘଟଣା ତାଙ୍କୁ ବ୍ୟଥିତ କରିଛି । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ଏକ ବଡ଼ ନିଷ୍ପତ୍ତି କ୍ରମରେ ଏହି ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କର ବିଦ୍ୟାଳୟ ଶିକ୍ଷା ଦାୟିତ୍ୱ ଆଦାନୀ ଗ୍ରୁପ ଗ୍ରହଣ କରିବ ବୋଲି ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଆସନ୍ତାକାଲି ପାଇଁ ଦେଶର ଭବିଷ୍ୟତ ଏହି ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବା ଆମର ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି ଶ୍ରୀ ଆଦାନି କହିଛନ୍ତି । ମୃତାହତଙ୍କ ପରିବାରକୁ ସାହାଯ୍ୟ ଓ ଶକ୍ତି ଯୋଗାଇବା ପାଇଁ ଆଦାନୀ ଗ୍ରୁପ ନିଜର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ଏହି ବଡ଼ ନିଷ୍ପତ୍ତି ନେଇଛି । ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।