ବଲାଙ୍ଗିରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ମାସ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହା ଜୁନ ମାସ ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆୟୋଜିତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ କୁ ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ ଜିଲ୍ଲାପାଳ ଙ୍କ କାର୍ୟାଳୟ ପରିସରରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଶିଶୁ ଶ୍ରମିକ ନିରାକରଣ , ଶିଶୁ ଶ୍ରମିକ ଆଇନ ରେ ଥିବା ପ୍ରାବଧାନ ,କଟକଣା ଇତ୍ୟାଦି ସମ୍ପର୍କରେ ସଚେତନତା ରଥ ମାଧ୍ୟମରେ ଜନସାଧାରଣ ଙ୍କୁ ସଚେତନ କରାଯିବ ।ଏତଦବ୍ୟତୀତ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କରେ ସଚେତନତା ରାଲି ର ଆୟୋଜନ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବ । ଏହି ସଚେତନତା ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ , ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ,ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ,ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ପାନାମଣି ସୋରେନ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଙ୍କ ସମେତ ଜିଲ୍ଲା ଶ୍ରମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶ୍ରମ ଆଇନ ୧୯୮୬ ଅନୁସାରେ ୧୪ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁ ଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟା ରେ ତଥା ୧୫ ବର୍ଷ ରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟା ରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଯଦି କୌଣସି ବ୍ୟକ୍ତି ୧୪ ବର୍ଷ ରୁ କମ ବୟସର ଶିଶୁ ଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୫ ବର୍ଷ ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା କିଶୋର ମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜିତ କରିବାର ନଜରକୁ ଆସେ ତେବେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଅବଗତ କରିପାରିବେ । ଏତଦବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବର ୧୫୫୩୬୮ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮ କୁ ଯୋଗାଯୋଗ କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଆସନ୍ତା ୭ ତାରିଖ ସକାଳ ୮ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ୟାଳୟ ପରିସରରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରାଲି ର ଆୟୋଜନ କରାଯିବ ।

Leave A Reply

Your email address will not be published.

8 − three =