ଜାପାନରେ ଲୋକକଳା ପ୍ରଦର୍ଶନ କରି କଳାହାଣ୍ଡି ମାଟିକୁ ଗୌରବ ମଣ୍ଡିତ କରିଥିବା ଲୋକନୃତ୍ୟ ଦଳ ଭବାନୀପାଟଣା ଫେରିଲେ

ବିଭିନ୍ନ ସ୍ଥାନରେ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇଲେ ଜନ ସାଧାରଣ

ଭବାନୀପାଟଣା : ଜାପାନ ଆମ୍ବାସୀ ଓ ଆଇ ସି ଆର୍ ପକ୍ଷରୁ ଜାପାନ ଠାରେ ଅନୁଷ୍ଠିତ ହୋଇଥିବା ଜି-୨୦ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ଦଳ ସେମାନଙ୍କ ଅଭୂତପୂର୍ବ କଳା ପ୍ରଦର୍ଶନ କରିବା ସହ ବିପୁଳ ଖ୍ୟାତି ସାଉଁଟି ଭବାନୀପାଟଣାକୁ ଫେରି ଆସିଛନ୍ତି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନର ଏଗାର ଜଣ କଳାକାର ଏହି ଦଳରେ ଜାପାନ ଗସ୍ତ କରିଥିଲେ। ଗତ ୪ ତାରିଖ ଦିନ ଫେରିଥିବା ଏହି ଦଳକୁ କେସିଙ୍ଗା ରେଳ ଷ୍ଟେସନ ଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା, କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର, ସମ୍ପାଦକ ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କଳାକାରମାନେ ଭବାନୀପାଟଣା ଫେରିବା ବାଟରେ ଉତ୍କେଲା ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭବାନୀପାଟଣା ପହଞ୍ଚିଲା ପରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ କଳାକାର ମାନଙ୍କୁ ଭବ୍ୟ ସ୍ୱ।ଗତ କରାଯାଇଥିଲା। ସଭାପତି ଜୟନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ, ଉପ ସଭାପତି ଶାନ୍ତନୁ ବେହେରା, ଘୁମୁରାଗୁରୁ ସୁରୁ ବାରିକ ତଥା ଅନ୍ୟାନ୍ୟ ବହୁ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଜାପାନ ଠାରେ ଉଚ୍ଚ
କୋଟିର କଳା ପ୍ରଦର୍ଶନ କରି ଦର୍ଶକ ମାନଙ୍କ ମନ ଜିଣିଥିବା କଳାକାର ମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରଦୀପ ସିଂହ, ବିଷ୍ଣୁ ପ୍ରଧାନ, ସୁଶାନ୍ତ ସିଂହ, କ୍ଷୀରସିନ୍ଧୁ ନାଏକ, ଟିଙ୍କୁ ମାଝୀ, ଧୀରେନ୍ଦ୍ର ପୋଢ, ନିହାରିକା ନାୟକ, ଆଶ୍ୱାସନା ପଟ୍ଟନାୟକ, ଶତାବ୍ଦୀ ନାଏକ, ପାୟଲ ବେହେରା ରହିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ଲିଆସିନିଂ ଅଧିକାରୀ ଭାବେ ଦଳରେ ଯାତ୍ରା କରିଥିଲେ।

Leave A Reply

Your email address will not be published.

18 − 11 =