ଚମ୍ପୁଆ : ଚମ୍ପୁଆ ଏନ.ଏ.ସିର ସଦର ମହକୁମାର କଚେରୀ ପଡିଆଠାରେ ୩୩ ଲକ୍ଷ ୪୩ ହଜାର ୪୬୨ଟଙ୍କା ବ୍ୟୟ ଅଟକଳରେ ନବ ନିର୍ମିତ ଲାଇବ୍ରେରୀ ଲୋକଙ୍କ କାମରେ ଆସୁନଥିବା ଦେଖାଯାଇଛି । ନିର୍ମାଣର ୨ ବର୍ଷ ବିତିବାକୁ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଖୋଲାଯାଇପାରୁନାହିଁ । ସୂଚନା ଯୋଗ୍ୟକି ୨୨/୧/୨୦୨୧ ମସିହାରେ ଉପରୋକ୍ତ ଟଙ୍କା ବିନିଯୋଗରେ ଏହି ଲାଇବ୍ରେରୀ ଗୃହ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ନିର୍ମାଣ କରାଯାଇ ଏନ.ଏ.ସିକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଏବଂ ଏହା ୨୧/୭/୨୦୨୧ରେ କାର୍ଯ୍ୟ ଶେଷ ହୋଇଥିଲା । ଏନ.ଏ.ସି ବାସୀଙ୍କ ନିମନ୍ତେ ଉତ୍ସର୍ଗୀକୃତ ଏହି ପାଠାଗାରର ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପୁର୍ଣ୍ଣ ହୋଇଯାଇଥିଲେ ବି ତାହା ଉଦ୍ଘାଟିତ ହୋଇପାରିନାହିଁ । ବର୍ତମାନ ଏହା ବୁଲା ଗାଈ, ଗୋରୁ ଓ ଛେଳିଙ୍କର ବିଶ୍ରାମସ୍ଥଳୀ ପାଲଟିଗଲାଣି । ଏହି ପାଠାଗାର ସାଙ୍ଗକୁ ବ୍ୟାୟାମ ସରଞ୍ଜାମ ଉପଲବ୍ଧ ରହିଛି ସତ ହେଲେ ତାହା ବି କାମରେ ଲାଗୁନି । ଦିର୍ଘ ଦିନ ଧରି ଏହା ଖୋଲା ହୋଇପାରୁନଥିବାରୁ ପାଠକ, ବୁଦ୍ଧିଜିବୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ଏହି ଲାଇବ୍ରେରୀ ଏନ.ଏ.ସିବାସୀଙ୍କ ପାଇଁ ଉପହାସର ଖୋରାକ ଯୋଗାଇ ଦେଇଛି । ଏ ନେଇ ଏନ.ଏ.ସି ଚେୟାରମ୍ୟାନ ଗିରିଜା ଶଙ୍କର ସାହୁଙ୍କୁ ପଚାରିବାରୁ କହିଛନ୍ତି ଯେ କାର୍ଯ୍ୟବ୍ୟବସ୍ଥା ହେତୁ ଏହା ଉଦ୍ଘାଟିତ ହୋଇପାରୁନାହିଁ । ଖୁବ୍ ଶିଘ୍ର ଏହା ଉଦ୍ଘାଟନ କରାଯାଇ ଏନ.ଏ.ସି ବାସୀଙ୍କ ନିମନ୍ତେ ଉତ୍ସର୍ଗ କରାଯିବ ।