ଆବାସ ଦୁର୍ନୀତିର ତଦନ୍ତ ହେବ : ନଡ୍ଡା

ଭବାନୀପାଟଣା : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ତଦନ୍ତ ହେବ । ଦୁର୍ନୀତିରେ ଦୋଷୀସାବ୍ୟସ୍ତଙ୍କୁ ଜେଲକୁ ପଠାଇ ଦିଆଯିବ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି । ଆଜି ଭବାନୀପାଟଣା ଠାରେ ଆୟୋଜିତ ବିଜେପିର ମହାଜନସମ୍ପର୍କ ସମାବେଶରେ ଉଦ୍ବୋଧନ ଦେଇ ନଡ୍ଡା ଆବାସ ଦୁନୀତି ନେଇ ବିଜେଡି ସରକାରକୁ ଟାର୍ଗେଟ କରିବା ସହ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଏକ ନୂଆ ଦିଶା ଦେଇଛନ୍ତି । ଏଥିଲାଗି ତାଙ୍କୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ‘ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ସାରା ବିଶ୍ୱ ମାନୁଛି, ନୋବେଲ ବିଜେତା ପଲ୍ ରୋମର ବି ମୋଦୀଙ୍କ ପ୍ରଶଂସାରେ ଶତମୁଖ । ଖାଲି ସେତିକି ନୁହେଁ, ଅଷ୍ଟେ୍ରଲିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବସ୍’ କହି ସମ୍ବୋଧନ କରୁଛନ୍ତି । କିନ୍ତୁ ଏକଥାକୁ କଂଗ୍ରେସ ହଜମ କରିପାରୁନାହିଁ । କଂଗ୍ରେସ ନେତା ମୋଦୀଙ୍କୁ ସାପ, ବିଚ୍ଛା କହିବାକୁ ବି ପଛାଉନାହାନ୍ତି । କିନ୍ତୁ ଏକଥା ସେମାନେ ଭୁଲିଯାଉଛନ୍ତି, ଦେଶର ୧୪୦ କୋଟି ଜନତା ମୋଦୀଜିଙ୍କ ସହିତ ଅଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି, ହେଲେ ଓଡ଼ିଶା ସବୁଠାରୁ ପଛୁଆ । ଏହା ଏବେ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି । ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦୀ ରାସନ ଦେଉଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ହିତାଧିକାରୀଙ୍କୁ ଘର ମିଳୁନି । ସେ ଆହୁରି କହିଛନ୍ତି, ଓଡ଼ିଶାକୁ ଚଳାଉଛି କିଏ ଓ ଏଠାକାର ନେତା କିଏ କାହାକୁ ଜଣାନାହିଁ । ଓଡ଼ିଶାକୁ ନେତା ନା ଅଫିସର ଚଳାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ସାଂସଦ ଓ ବିଧାୟକଙ୍କ କଥା କେହି ଶୁଣୁନାହାନ୍ତି । ନବୀନ ପଟ୍ଟନା୍ୟକ ଅଧିକାରୀଙ୍କ ହାତରେ ପୂରା ଶାସନକୁ ଟେକି ଦେଇଛନ୍ତି ବୋଲି କହିବାକୁ ପଛାଇନାହାନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି । ‘ଜୟ ଜଗନ୍ନାଥ’ କହି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଭାଷଣ ଆରମ୍ଭ କରିବା ସହ ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ସାଧାରଣସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଶ୍ୱେଶ୍ୱର ଟୁଡ଼ୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପ୍ରଭାରୀ ଡି. ପୁରନେ୍ଦଶ୍ୱରୀ, ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାୟକ ଓ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.

three + 8 =